ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଲଭଲିନ୍ ଆସାମର ଡିଏସପି ନିଯୁକ୍ତି ପାଇଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଲଭଲିନାଙ୍କୁ ଆସାମ ପୁଲିସ୍ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଲଭଲିନା ଡିଏସପି ପଦବୀ ପାଇଁ ଶପଥ ପାଠ ମଧ୍ୟ ଗ୍ରହଣ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବ୍ରୋଞ୍ଜ ପଦକ ଜିତିଥିଲେ । ପଦକ ଜିତିବା ପରେ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବା ସହ ଡିଏସପି ପଦବୀରେ ନିଯୁକ୍ତ କରିବା ପାଇଁ ଘୋଷଣା କରିଥିଲେ ।
ସେହିପରି ଏହି ପଦବୀରେ ନିଯୁକ୍ତି ପାଇ ଲଭଲିନା ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ଲଭଲିନା କହିଛନ୍ତି ଯେ, ଦେଶ ଓ ଆସାମ ପାଇଁ ଅଧିକ ପଦକ ଜିତିବାର ମୋର କର୍ତ୍ତବ୍ୟ । ସେହିପରି ମୋତେ ଡିଏସପି ଭାବେ ନିଯୁକ୍ତି କରିଥିବାରୁ ମୁଁ ଆସାମ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।