ବେଙ୍ଗାଲୁରୁ : ହିଜାବ ବିବାଦକୁ ନେଇ କରାଯାଇଥିବା ଆବେଦନ ଉପରେ କର୍ଣ୍ଣାଟକ ହାଇକୋର୍ଟ ଏହାକୁ ବୁଧବାର ଯାଏ ମୁଲତବି ରଖିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ଥିଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ବୁଧବାର ଦିନ ଏହି ମାମଲାର ଶୁଣାଣି କରିବେ।
ଗତକାଲିର ଶୁଣାଣିରେ ବରିଷ୍ଠ ଓକିଲ ଦେବଦତ୍ତ କାମାତ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ। ସେ ଏକ ଦକ୍ଷିଣ ଆଫ୍ରିକୀୟ କୋର୍ଟ ରାୟର ଉଦାହରଣ ଦେଇଥିଲେ, ଯେଉଁଠି ପ୍ରଶ୍ନ ଥିଲା ଜଣେ ଦକ୍ଷିଣଭାରତୀୟ-ମୂଳ ହିନ୍ଦୁ ଝିଅ ନାକରେ ନୋଥ ପିନ୍ଧିପାରିବ ନା ନାହିଁ। ଏହା ୟୁନିଫର୍ମ (ଗଣବେଶ)ର ମାମଲା ନୁହେଁ, ବରଂ ଏହା ଏକ ବ୍ୟତିକ୍ରମର ମାମଲା।
କାମାତ କହିଥିଲେ, ଆମ ସମ୍ବିଧାନ ସକାରାତ୍ମକ ଧର୍ମନିରପେକ୍ଷତାକୁ ଅନୁସରଣ କରେ, ଯାହା ତୁର୍କିଶ ଧର୍ମନିରପେକ୍ଷତା ପରି ନକାରାତ୍ମକ ନୁହେଁ। ଆମ ଧର୍ମନିରପେକ୍ଷତା ସମସ୍ତଙ୍କ ଧାର୍ମିକ ଅଧିକାରକୁ ସୁରକ୍ଷିତ ରଖେ।
ମଙ୍ଗଳବାରର ଶୁଣାଣି ଅଧା ରହିଥିଲା ଏବଂ ଆଜି ଏହାର ଶୁଣାଣି ହେବ ବୋଲି କହିଛନ୍ତି। ପୂର୍ବରୁ ଶୁଣାଣି ଶେଷ ନ ହେବା ଯାଏ କୌଣସି ବି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଧାର୍ମିକ ପୋଷାକ ପିନ୍ଧି ନ ଆସିବାକୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।