ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅର୍ଥାତ ଜୁଲାଇରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ ହେବ । ସେଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । ତଦନୁଯାୟୀ ନିର୍ବାଚନ ପରିଚାଳନା ନିମନ୍ତେ ଓଡ଼ିଶା ବିଧାନସଭା ପକ୍ଷରୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର(ଏଆରଓ) ନିଯୁକ୍ତ କରାଯାଇଛି ।
ସୂଚନାନୁସାରେ କେନ୍ଦ୍ର ନିର୍ବାଚନ କମିଶନ ଦୁଇ ଜଣ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିବା ପାଇଁ ଓଡ଼ିଶା ବିଧାନସଭାକୁ ଚିଠି ଲେଖିଥିଲେ । ତେବେ ରଙ୍ଗାଧର ମଲ୍ଲିକ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସିଣ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ହୋଇଛନ୍ତି । ଅନ୍ୟପକ୍ଷରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ତାଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯିବ କି ନାହିଁ, ସେନେଇ କେନ୍ଦ୍ରୀୟ ଆୟୋଗଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଚିଠି ଲେଖି ଅବଗତ କରିଛନ୍ତି । ସେଠାରୁ ଅନୁମତି ମିଳିବା ପରେ ଶ୍ରୀ ଶଥପଥୀ ନିଯୁକ୍ତ ହେବେ ବୋଲି ଜଣାଯାଇଛି । ସେହିପରି ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଦ୍ଦିଷ୍ଟ ‘ଇଲେକ୍ଟ୍ରୋରାଲ୍ କଲେଜ’ରେ କେଉଁମାନେ ଭାଗ ନେବେ ତା’ର ସମସ୍ତ ତଥ୍ୟ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଦିଆଯାଇଛି ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି ।