ନୂଆଦିଲ୍ଲୀ: ବିଜେପିର ପ୍ରବୀଣ ନେତା ଅରୁଣ ଜେଟଲୀଙ୍କ ମଗଜରୁ ଜନ୍ମ ନେଇଥିବା ସୁନା ଅଣ୍ଡା ଦିଆ କୁକୁଡ଼ାକୁ ମାରି ଦେଇଛନ୍ତି ମହାମାନ୍ୟ ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିବ୍ୟ ଚେତନାରେ ଉଦ୍ବୁଦ୍ଧ ହୋଇ ବିଜେପି, ବିଜେଡି, କଂଗ୍ରେସ, ଆପ୍ ଭଳି ସବୁ କ୍ଷମତାସୀନ ରାଜନୈତିକ ଦଳ ପାଇଁ କଳାଧନ ସାଉଁଟିବା କାମ କରୁଥିଲା ସୁନା ଅଣ୍ଡା ଦିଆ କୁକୁଡ଼ା ।
କୁକୁଡ଼ାଟିର ଭରଣପୋଷଣ ଦାୟିତ୍ୱ ବହନ କରିଥିଲେ ମୁଖ୍ୟ ନିର୍ବାଚନ ଆୟୋଗ ।ସବୁଠାରୁ କୌତୁହଳ ବିଷୟ ହେଉଛି; ମୋଦୀ ସରକାରଙ୍କ ଅଭିନବ କଳାଧନ ସାଉଁଟିବାର କଳାକୌଶଳ ସବୁ ରାଜନୈତିକ ଦଳ ଓ ନିର୍ବାଚନ କମିଶନକୁ ମାଲୁମ ଥିଲା । କିନ୍ତୁ କେହି ସେ ବିଷୟରେ ୧୪୦ କୋଟି ଜନତାଙ୍କୁ ଜଣାଉ ନଥିଲେ ।
ଆମ ଆଖିରେ ଦିଶୁଥିବା ସୁନା ଅଣ୍ଡା ଦିଆ କୁକୁଡ଼ାଟି କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଓ ସୁପ୍ରିମକୋର୍ଟଙ୍କ ଦୃଷ୍ଟିରେ ନିର୍ବାଚନ ବଣ୍ଡ ଭାବେ ଜଣାଶୁଣା ।ଏକ ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ବଣ୍ଡ ଏକପ୍ରକାର ପ୍ରାଣହୀନ ହୋଇଯାଇଛି । କିନ୍ତୁ ଲୋକସଭାରେ ବିଜେପିର ୩୦୩ ସାଂସଦ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ୍ୟୁ ସଂଜୀବନୀ ମନ୍ତ୍ର ପାଠ କରି ଯେକୌଣସି ମୁହୂର୍ତରେ ନିର୍ବାଚନ ବଣ୍ଡ ଓ ସୁନା ଅଣ୍ଡା ଦିଆ କୁକୁଡ଼ାକୁ ପୁଣି ବଂଚାଇ ଦେଇପାରନ୍ତି ।