ସୂତାଖିଅରେ ଝୁଲୁଛି ଖଣ୍ଡା: ହେମନ୍ତଙ୍କୁ ଚଉକି ଭୟ

ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଶିବୁ ସୋରେନ୍‌….

ରାଂଚି: ପ୍ରବଳ ବର୍ଷାରେ ଝାଡ଼ଖଣ୍ଡ ଭାସୁଛି । ମାତ୍ର ନିର୍ବାଚନ ଆୟୋଗଙ୍କ କଡ଼ା ଆଭିମୁଖ୍ୟ କାରଣରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁହଁରୁ ଝାଳ ବହିବାକୁ ଲାଗିଛି । ଝାଡ଼ଖଣ୍ଡ ଉପରେ ବିଜେପି ଲୋଲୁପ ଦୃଷ୍ଟି ପକାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ ।

ପିପୁଲ୍ସ ରିପ୍ରେଜେଂଟେଟିଭ ଆକ୍ଟ ଧାରା ୮ ଓ ୯ ବଳରେ ନିର୍ବାଚନ କମିଶନ ଦୁଇଟି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ଅଛି । ମୁଖ୍ୟମନ୍ତ୍ରୀ କ୍ଷମତାକୁ ଅପବ୍ୟବହାର କରି ହେମନ୍ତ ସୋରେନ୍‌ ଖଣିଖାଦାନ ଫାଇଦା ହାସଲ କରିଛନ୍ତି । ଅତଏବ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଲାଭଜନକ ପଦବୀ ଦର୍ଶାଇ ନିର୍ବାଚନ କମିଶନ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ କହିପାରନ୍ତି । ଏ ପରିସ୍ଥିତିରେ ଯଦି ଦଳର ସବୁ ବିଧାୟକ ତାଙ୍କୁ ନେତା ରୂପେ ବାଛନ୍ତି; ହେମନ୍ତ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ରହିବେ । ସେହି ସମୟ ଭିତରେ ତାଙ୍କୁ ନିର୍ବାଚନ ଲଢ଼ି ଜିତିବାକୁ ପଡ଼ିବ ।

ଅନ୍ୟ ଏକ ସ୍ଥିତିରେ ଯଦି ନିର୍ବାଚନ ଆୟୋଗ ତାଙ୍କୁ ଭ୍ରଷ୍ଟାଚାରୀ ଦର୍ଶାଇ ପିପୁଲ୍ସ ରିପ୍ରେଜେଂଟେଟିଭ ଆଇନର ଧାରା-୯ ଅନୁସାରେ ସାର୍ଟିଫିକେଟ୍‌ ଜାରି କରନ୍ତି; ତେବେ ହେମନ୍ତ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ି ନପାରନ୍ତି । ତାଙ୍କୁ ଏକା ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଧାୟକ ପଦ ହରାଇବାକୁ ପଡ଼ିବ । ଫଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନୂଆ ନେତା ବାଛିବ । ନୂଆ ନେତା ଧାଡ଼ିରେ ଶିବୁ ସୋରେନ୍‌ ଓ ପତ୍ନୀ କଳ୍ପନା ସୋରେନ୍‌ ଅଛନ୍ତି । ହେମନ୍ତ ସୁପ୍ରିମକୋର୍ଟକୁ ଗଲେ କିଛି ଲାଭ ହେବନି କାରଣ ସୁପ୍ରିମକୋର୍ଟ ଏଭଳି ମାମଲାରେ ତୁରନ୍ତ ରାୟ ଦେଇ ନପାରନ୍ତି । ଅତଏବ ବାପା ନଚେତ୍‌ ପତ୍ନୀଙ୍କ ଭିତରୁ ଜଣକୁ ମୁଖ୍ୟମନ୍ତ୍ରୀ ପଦ ଦେଇ ହେମନ୍ତ ନିର୍ବାସନରେ ରହିପାରନ୍ତି ।