ଗୋଲାମୀ ଛାଡ଼ିଲେ ଗୁଲାମ, ‘ଅଲ୍‌ବିଦା କଂଗ୍ରେସ’

ଦଳରେ ନେତା କମ୍‌ ତୋଷାମଦକାରୀ ଅଧିକ….

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସକୁ ଅଲବିଦା କରିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ନୂଆ ଦଳ ଗଢ଼ିବା ମତଲବରେ ଗୁଲାମ ଦଳ ଛାଡ଼ିଛନ୍ତି ବୋଲି ଘନିଷ୍ଠ ସୂତ୍ରରୁ ଶୁଣିବାକୁ ମିଳିଛି । କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପାଂଚପୃଷ୍ଠାର ଇସ୍ତଫା ପତ୍ରରେ ସେ ମାନ, ଅଭିମାନ ସବୁକିଛି ଉଲ୍ଲେଖ କରିଛନ୍ତି । ଦଳର ପ୍ରାଥମିକ ସଭ୍ୟପଦ ସାଙ୍ଗକୁ ଅନ୍ୟ ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ଗୁଲାମ । ରାହୁଲ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି ବୋଲି ସେ କହିଛନ୍ତି ।

ବାରମ୍ବାର ତାଗିଦ କରିବା ପରେ ମଧ୍ୟ ଦଳର ଅନ୍ୟ ନେତାମାନେ ସବୁ ଶୁଣି ନଶୁଣିଲା ଭଳି ଅଭିନୟ କରୁଛନ୍ତି । ଇସ୍ତଫା ପତ୍ରରେ ଗୁଲାମ ସୋନିଆ ଗାନ୍ଧୀଙ୍କୁ ମୁଣ୍ଡରେ ବସାଇଛନ୍ତି । ୟୁପିଏ-୧ ଓ ୟୁପିଏ-୨ ସରକାର ଗଠନରେ ସୋନିଆଙ୍କ କାର୍ଯ୍ୟଦକ୍ଷତାକୁ ତାରିଫ କରିଛନ୍ତି । ସେ ପୁଣି କହିଛନ୍ତି, ଯୋଉଦିନଠାରୁ କଂଗ୍ରେସର ଉପାଧ୍ୟକ୍ଷ ପଦବୀରେ ରାହୁଲଙ୍କୁ ନିଯୁକ୍ତ କରାଗଲା । ସେହିଦିନଠାରୁ କଂଗ୍ରେସର ଅଶୁଭ ସମୟ ଆରମ୍ଭ ହୋଇଗଲା ।

ଦଳର ସବୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଗୋଟିଏ ପାଖରେ ରଖି ଦିଆଗଲା । ତୋଷାମଦକାରୀଙ୍କୁ ନେଇ ଦକ୍ଷତାବିହୀନ ଗୋଷ୍ଠୀ ତିଆରି କରାଗଲା । ଫଳରେ ଦଳରେ କାମ କମ୍‌ ଓ ତୋଷାମଦ ଅଧିକ ଚାଲିଲା । ଗତ ଚାରିଦଶକ ଧରି ସେ କଂଗ୍ରେସର ସେବା ପ୍ରତି ସମର୍ପିତ ଥିଲେ । ସାଧାରଣ ସମ୍ପାଦକ ଦାୟିତ୍ୱରେ ରହି ଗୁଲାମ ବହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ କଂଗ୍ରେସକୁ ଶକ୍ତିଶାଳୀ କରିଥିଲେ ।