ଛାତ୍ରୀଙ୍କୁ ବେତରେ ନିସ୍ତୁକ ପିଟିଲେ ଶିକ୍ଷୟିତ୍ରୀ

ମାଡ଼ ଖାଇଥିବା ଜଣେ ଛାତ୍ରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ….

ନୂଆଦିଲ୍ଲୀ: ଶିକ୍ଷୟିତ୍ରୀଙ୍କ ପାଠପଢ଼ାକୁ ନାପସନ୍ଦ କରି ଜଣେ ଛାତ୍ରୀ ସୋସିଆଲ ମିଡିଆରେ ଶିକ୍ଷୟିତ୍ରୀଙ୍କ ଫଟୋ ପୋଷ୍ଟ କରି ତଳେ ‘ବୋରିଂ କ୍ଲାସ’ ଲେଖିବାରୁ ସଂପୃକ୍ତ ଶିକ୍ଷୟିତ୍ରୀ ଜଣକ କ୍ରୋଧାନ୍ଧ ହୋଇ ଶ୍ରେଣୀକକ୍ଷରେ ଅଧିକାଂଶ ଛାତ୍ରୀଙ୍କୁ ବେତରେ ପ୍ରବଳ ମାଡ଼ ମାରିଛନ୍ତି । ଶ୍ରେଣୀର କିଛି ଛାତ୍ରୀ ଶିକ୍ଷୟିତ୍ରୀ ମାଡ଼ ମାରୁଥିବାର ଦୃଶ୍ୟ ସୁଟିଂ କରି ସୋସିଆଲ ମିଡିଆରେ ପ୍ରସାରଣ କରିଛନ୍ତି । ଭିଡିଓଟିରେ ଶିକ୍ଷୟିତ୍ରୀ ହାତରେ ବେତ ଧରି ଛାତ୍ରୀମାନଙ୍କୁ ଗୋଡେ଼ଇ ଗୋଡେ଼ଇ ପିଟୁଛନ୍ତି ।

ବୋରିଂ’ ପୋଷ୍ଟ କରିଥିବା ଛାତ୍ରୀଜଣକ ଶିକ୍ଷୟିତ୍ରୀଙ୍କୁ ଭୁଲ ମାଗିଥିଲେ ମଧ୍ୟ ମାଡ଼ରୁ ତ୍ରାହି ପାଇନାହାନ୍ତି । ଘଟଣାଟି କାମାରେଡ୍ଡି ଜିଲ୍ଲାର ଗୋଟିଏ ସରକାରୀ ବିଦ୍ୟାଳୟରେ ଘଟିଛି । ଶିକ୍ଷାନୁଷ୍ଠାନର ଏକାଦଶ ଶ୍ରେଣୀର ଛାତ୍ରୀଜଣକ ଗତ ସପ୍ତାହରେ ଶିକ୍ଷୟିତ୍ରୀଙ୍କ ପାଠପଢ଼ାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସଂପୃକ୍ତ ଶିକ୍ଷୟିତ୍ରୀ ଘଟଣା ସଂପର୍କରେ ଜାଣିବା ପରେ ମଙ୍ଗଳବାର ଛାତ୍ରୀମାନଙ୍କୁ ପଚାରିଥିଲେ ।

ସଂପୃକ୍ତ ଘଟଣା ପାଇଁ ଛାତ୍ରୀଜଣକ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ କ୍ରୋଧିତ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଥିଲେ । ମାଡ଼ ଖାଇଥିବା ଜଣେ ଛାତ୍ରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଛାତ୍ରୀମାନେ ବିଦ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।