ସ୍କୁଲପିଲାଙ୍କ ବ୍ୟାଗରେ କଣ୍ଡୋମ, ସିଗାରେଟ୍‌

କିଛି ବର୍ଷ ତଳେ ଶିକ୍ଷାନୁଷ୍ଠାନରେ ଯୌନଶିକ୍ଷା ପ୍ରଚଳନ ଉପରେ ବେଶ ବିତର୍କର ସୂତ୍ରପାତ ଘଟିଥିଲା….

ନୂଆଦିଲ୍ଲୀ: ସାରାଦେଶ ପାଇଁ ଏହା ବିରାଟ ପ୍ରଶ୍ନ । ଆମ ଶିକ୍ଷା ବ୍ୟବସ୍ଥା ଏତେ ରସାତଳକୁ ଚାଲିଯାଇଛି ଯେ ପିଲାଙ୍କ ସ୍କୁଲବ୍ୟାଗରେ ପଢ଼ାବହି ଓ ଖାତା ସାଙ୍ଗକୁ କଣ୍ଡୋମ ଓ ସିଗାରେଟ୍‌ ଭଳି ଦ୍ରବ୍ୟ ଦେଖିବାକୁ ମିଳିଛି । କର୍ଣ୍ଣାଟକର କେତୋଟି ସ୍କୁଲରେ ଛାତ୍ରଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ୍‌, ଲାଇଟର, ସିଗାରେଟ୍‌, କଣ୍ଡୋମ, ଗର୍ଭ ନିରୋଧକ ବଟିକା, ହ୍ୱାଇଟ୍ନର ଓ ବିପୁଳ ଟଙ୍କା ମିଳିଥିବାର ଜଣାପଡ଼ିଛି । ପିଲାମାନେ ସାଙ୍ଗରେ ମୋବାଇଲ୍‌ ଧରି ସ୍କୁଲକୁ ଯାଉଥିବାର ସୂଚନା ପାଇଁ ସ୍କୁଲ କର୍ତୃପକ୍ଷ ଅଚାନକ ତଲାସି ଅଭିଯାନ କରିଥିଲେ । ସୂଚନା ମୁତାବକ ଅଷ୍ଟମ, ନବନ ଓ ଦଶମ ଶ୍ରେଣୀର ପିଲାମାନଙ୍କ ନିକଟରୁ ଏହିସବୁ ଜିନିଷ ମିଳିଛି ।

କେବଳ କର୍ଣ୍ଣାଟକ ନୁହେଁ, ଦେଶର ପ୍ରତ୍ୟେକ ରାଜ୍ୟର ଗଳିକନ୍ଦିରେ ଖୋଲିଥିବା ସ୍କୁଲର ଛାତ୍ରଛାତ୍ରୀମାନେ ସାଙ୍ଗରେ ଏହିଭଳି ଜିନିଷ ରଖୁଛନ୍ତି । କିଛି ବର୍ଷ ତଳେ ଶିକ୍ଷାନୁଷ୍ଠାନରେ ଯୌନଶିକ୍ଷା ପ୍ରଚଳନ ଉପରେ ବେଶ ବିତର୍କର ସୂତ୍ରପାତ ଘଟିଥିଲା । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ବିଜ୍ଞାନ ବହିରେ ପ୍ରକାଶିତ ବିଷୟବସ୍ତୁ ଯୌନଶିକ୍ଷାର ଅୟମାରମ୍ଭ ମାତ୍ର ।

ଏହି ସମୟରେ କିଶୋର କିଶୋରୀମାନଙ୍କର ଗୋଡ଼ ଖସିବାର ବେଳ । ଏହି ସମୟକୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ସଜାଗ ରହିବା ଦରକାର । ସ୍କୁଲବ୍ୟାଗରେ ପିଲାମାନେ ସିଗାରେଟ୍‌, ଗର୍ଭ ନିରୋଧକ ବଟିକା, କଣ୍ଡୋମ ରଖିବା ଅର୍ଥ ସମାଜର ଅଧୋପତନ ନିଶ୍ଚିତ ।