ପଞ୍ଜାବର ଶ୍ରମିକ ଓ ଭାଗଚାଷୀଙ୍କୁ ଲାଠିମାଡ଼, ଦେଖନ୍ତୁ ଭିଡିଓ..

ଦିନ ମଜୁରିଆଙ୍କୁ ଆପ୍‌ ସରକାରଙ୍କ ଭେଟି, ଦେଖନ୍ତୁ ଭିଡିଓ..

ଗୌରବ ରଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌

ଚଣ୍ଡିଗଡ଼: ଭୋଟ ମାଗିବା ସମୟର ଭଗବନ୍ତ ମାନ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଭିତରେ ଘୋର ତଫାତ୍‌ ରହିଛି । ପଞ୍ଜାବର ଶ୍ରମିକ ଓ ଭାଗଚାଷୀଙ୍କୁ ମାଡ଼ ମାରି ଆପ୍‌ ନେତା ଭଗବନ୍ତ ମାନ୍‌ ଜଣାଇ ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ହୋଇଯିବା ପରେ ଶ୍ରମିକ ଓ କ୍ଷୁଦ୍ରଚାଷୀଙ୍କୁ ମାଡ଼ ମାରିବା ଗୌରବର ବିଷୟ । ପୁଲିସଠାରୁ ଲାଠିମାଡ଼ ଖାଇଥିବା ଶ୍ରମିକ ଓ ଖଟିଖିଆମାନେ ଆପ୍‌ ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲଙ୍କ ଆଶ୍ୱାସନାକୁ ମନେ ପକାଇଛନ୍ତି । ପଞ୍ଜାବର ଦିନ ମଜୁରିଆ ଭୋଟରଙ୍କୁ ଉପଯୁକ୍ତ ଭେଟି ଦେଇଛି ଆପ୍‌ ସରକାର ।


ବିକ୍ଷୋଭ ପ୍ରଦର୍ଶନକାରୀମାନେ ଭାରତୀୟ କ୍ଷେତ ମଜଦୁର ୟୁନିଅନ୍‌ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ସଙ୍ଗରୁର ନିବାସ ନିକଟରେ ପହଂଚିବାର ଦେଖି ପୁଲିସ ଫଉଜ ସେମାନଙ୍କୁ ଗୋଡେ଼ଇ ଗୋଡେ଼ଇ ମାଡ଼ ମାରିଥିଲା । ଆହତ ଶ୍ରମିକମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମଜଦୁର ନେତା ତରସେମ ପିଟର ଓ ଜମି ପ୍ରାପ୍ତି ସଂଘର୍ଷ କମିଟି ଅଧ୍ୟକ୍ଷ ମୁକେଶ ମଲୌଦଙ୍କ ଆହ୍ୱାନ କ୍ରମେ ସାରା ପଞ୍ଜାବର ଶ୍ରମିକମାନେ ଏକଜୁଟ ହୋଇଥିଲେ । ସେମାନଙ୍କ ସହିତ ବହୁ ମହିଳା ଓ ଯୁବକମାନେ ସଙ୍ଗରୁର ପହଂଚିଥିଲେ । ଶ୍ରମିକମାନେ କେବଳ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭେଟି ଦୁଃଖ ଜଣାଇବାକୁ ଚାହୁଁଥିଲେ।

ଶ୍ରମିକମାନଙ୍କ ସମସ୍ୟାର ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ ମାନ ଅକ୍ଟୋବର ୩ ତାରିଖ ଦିନ ବୈଠକ ଡକାଇବାର ଥିଲା । ମାତ୍ର କୌଣସି କାରଣରୁ ଉକ୍ତ ବୈଠକକୁ ବାତିଲ କରି ଦିଆଗଲା । ଅର୍ଥମନ୍ତ୍ରୀ ଚିମା ଶ୍ରମିକଙ୍କ ସମସ୍ୟାକୁ ଶୁଣି ନିଶ୍ଚିତ ପ୍ରତିଶ୍ରୁତି ଦେଲେ ନାହିଁ । ଫଳରେ ଶ୍ରମିକ ସମାଜ ପାଇଁ ଏକମାତ୍ର ମୁଖ୍ୟମନ୍ତ୍ରୀ ମାନ୍‌ ହିଁ ଭରସାର ପାତ୍ର ଥିଲେ । ପୁଲିସଠାରୁ ଲାଠିମାଡ଼ ଖାଇବା ପରେ ସେମାନଙ୍କ ମନରୁ ସବୁ ଭରସା ତୁଟିଯାଇଛି ।

ଅନ୍ୟ ଦଳଗୁଡ଼ିକ ପରି ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ନିର୍ବାଚନ ପରେ ରଙ୍ଗ ବଦଳାଇବା ଆରମ୍ଭ କରିଛି । ଚାଷୀ ଓ ମଜଦୁରଙ୍କ ଦାବି ଭିତରେ ରହିଛି ବର୍ଷାଦାଉରୁ କପା ଓ ଧାନଫସଲର କ୍ଷତିପୂରଣ ପ୍ରଦାନ, ଶ୍ରମିକମାନଙ୍କୁ ନିଶ୍ଚିତ ରୋଜଗାର, ଦିନ ମଜୁରିଆଙ୍କ ମୂଲକୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି, ଶ୍ରମିକଙ୍କୁ ଘର ନିର୍ମାଣ ପାଇଁ ରିହାତି ମୂଲ୍ୟରେ ଜମି ଯୋଗାଣ, ବାସହୀନ ଶ୍ରମିକଙ୍କୁ ଘରଡିହ ଯୋଗାଣ ଓ ଜମି ମଡ଼ାଣ, ଦିନ ମଜୁରିଆଙ୍କୁ ଋଣଛାଡ଼, ବିଧବା, ବୟସ୍କ ଓ ଦିବ୍ୟାଙ୍ଗଙ୍କ ଭତାରାଶି ୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ।