ସୋନମଙ୍କ ଘରୁ କଳାକନା ବୁଲାଇଲେ ଚୋର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଦିଲ୍ଲୀ ସ୍ଥିତ ଘରୁ କୋଟି କୋଟି ଟଙ୍କାର ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ଆନନ୍ଦଙ୍କ ଜେଜେମା ସରଲା ଆହୁଜା ପୋଲିସ ନିକଟରେ ଅଭିଯୋଗ କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଏକ ରିପୋର୍ଟ ଅନୁଯାୟୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଆଲମିରାରୁ ୧.୪୧ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୧ ଲକ୍ଷ ଟଙ୍କା ଚୋରି ହୋଇଛି ।

ସୂଚନାଯୋଗ୍ୟ ଯେ, ସରଲା ଆହୁଜା ଗତ ଫେବୃଆରୀ ୧୧ରେ ତାଙ୍କ ଆଲମାରୀରେ ଥିବା ଅଳଙ୍କାର ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସେ ଜାଣିବାକୁ ପାଇଲେ ଯେ ସମସ୍ତ ମୂଲ୍ୟବାନ ଅଳଙ୍କାର ଏବଂ ନଗଦ ତାଙ୍କ ଆଲମାରୀରେ ନାହିଁ । ପରେ ସେ ଫେବୃଆରୀ ୨୩ରେ ଥାନକୁ ଯାଇ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଆଧାର କରି ପୋଲିସ ତଦନ୍ତ କରିବା ସହ ଏକ ଟିମ ମଧ୍ୟ ଗଠନ କରାଯାଇଛି ବୋଲି ଜଣାପଡିଛି । ଏହା ବ୍ୟତୀତ ପୋଲିସ ଘରର ଚାକର, ଡ୍ରାଇଭର ଏବଂ ବଗିଚାର ମାଳି ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପଚରାଉଚୁରା କରୁଥିବା ଜଣାପଡିଛି ।