ଆଫଗାନିସ୍ତାନରେ ତାଲିବାନୀ ଶାସନର କୁତ୍ସିତ ଚେହେରା
କାବୁଲ: ଆଫଗାନିସ୍ତାନ କ୍ଷମତାକୁ ଦଖଲ କରିବା ପରେ ତାଲିବାନୀ ଶାସନ ଦିନକୁ ଦିନ ଆହୁରି ବିଗିଡ଼ିବାକୁ ଲାଗିଛି । ତାଲିବାନ ଶାସକଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ବହୁ ଆଫଗାନ୍ ମହିଳା ବିଦେଶକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି ।ନିକଟରେ ଜାତୀୟ ଟିଭିରେ ତାଲିବାନୀ ଶାସନ ମୁଖ୍ୟ ମୁଲ୍ଲା ହିବାତୁଲ୍ଲା ଅଖୁଣ୍ଡଜାଦା କହିଛନ୍ତି, ଅନ୍ୟ ଦେଶଗୁଡ଼ିକ ମହିଳାଙ୍କ ସ୍ୱାଧିନତା ଓ ଅଧିକାର ସଂପର୍କରେ ଯାହା ଉଚିତ ମଣୁଛନ୍ତି, ଗ୍ରହଣ କରୁଛନ୍ତି । ମାତ୍ର ଆମ ଦୃଷ୍ଟିରେ ଇସଲାମିକ ସାରିଆ ଆଇନ ସର୍ବଶ୍ରେଷ୍ଠ । ତାକୁ ଆମେ କଡ଼ାକଡ଼ି ପାଳନ କରିବୁ ।
ଏକାଧିକ ପୁରୁଷଙ୍କ ସହିତ ଶାରିରୀକ ସଂପର୍କ ରଖୁଥିବା ମହିଳାଙ୍କୁ ଆମେ ସମସ୍ତଙ୍କ ସାମ୍ନାରେ ପଥର ମାଡ଼ କରି ମାରିଦେବୁ । କିଶୋରୀ, ଯୁବତୀ ଓ ମହିଳାଙ୍କ ଲୁଚାଚୋରା ପ୍ରେମକୁ ଆମେ କେବେ ମଧ୍ୟ ବରଦାସ୍ତ କରିବୁନି ।ବହୁ ଆନ୍ତର୍ଜାତିକ ସଂଗଠନ ମହିଳାଙ୍କ ଅଧିକାର ବିଷୟକୁ ପ୍ରାଥମିକତା ଦେଉଛନ୍ତି । ଆମର ସେମାନଙ୍କ କାମ ସଂପର୍କରେ କିଛି କହିବାର ନାହିଁ । ଆମ କାମରେ କୌଣସି ଆନ୍ତର୍ଜାତିକ ସଂଗଠନ ମୁଣ୍ଡ ନ ପୁରାଇବା ଉଚିତ ହେବ ।
ଅଖୁଣ୍ଡଜାଦା ପୁନର୍ବାର କହିଛନ୍ତି ଯେ ତାଲିବାନ ଶାସନ ଏବେ ଆରମ୍ଭ ମାତ୍ର । ଆମକୁ ଆହୁରି ଢେର କିଛି କରିବାର ଅଛି ।
ସୂଚନାଯୋଗ୍ୟ, ୨୦୨୧ରେ ତାଲିବାନ ସଂଗଠନ ଆଫଗାନିସ୍ତାନ ଶାସନକୁ କବ୍ଜା କରିବା ପରେ ସେଠାରେ ଝିଅମାନଙ୍କ ପାଠପଢ଼ା, ଚାକିରି ଓ ସାଧାରଣରେ ଚଳପ୍ରଚଳକୁ ବାରଣ କରିଛି ।