ଡାକ୍ତର ଲେଖିଲେ କ’ଣ? ଫାର୍ମାସିଷ୍ଟ ଦେଲା କ’ଣ? ବୁଝିବା ବେଳକୁ ଚାଲିଗଲା ଜୀବନ

ଧର୍ମଗଡ଼: ଡାକ୍ତରଙ୍କ ବିନା ପରାମର୍ଶରେ ଇଂଜେକସନ୍‌ ନେବାର ପରିଣାମ ଭୋଗିଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ମହିଳା । ସଂପୃକ୍ତ ମହିଳା ସିଧାସଳଖ ଔଷଧ ଦୋକାନକୁ ଯାଇ ସେଠାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ନିକଟରେ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ କହିଥିଲେ ।ବିଚରା ଫାର୍ମାସିଷ୍ଟ ଜଣକ ନିଜକୁ ଡାକ୍ତର ମଣି ଯାହାକୁ ଉଚିତ ପଦକ୍ଷେପ ବିଚାର କଲେ, ତାହା ତାଙ୍କୁ ଅପରାଧ ଅଭିଯୁକ୍ତ ଭାବେ ସଜାଇଦେଲା । ଘଟଣାଟି କଳାହାଣ୍ଡି ଜିଲ୍ଲାର ଖଲିଆକାନି ଗ୍ରାମରେ ଘଟିଛି ।

ତ୍ରୁଟିପୂର୍ଣ୍ଣ ଇଂଜେକସନ୍‌ ନେଇ ପ୍ରାଣ ହରାଇଥିବା ମହିଳା ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅନ୍ତର୍ଗତ ଧିଙ୍ଗିଆମୁଣ୍ଡା ଗ୍ରାମର ବୀଣାଦେଇ ମାଝି । ତାଙ୍କୁ ଇଂଜେକସନ୍‌ ଦେଇଥିବା ଫାର୍ମାସିଷ୍ଟ ଜଣକ ପାତ୍ର ମେଡିକାଲରେ କାମ କରନ୍ତି ।ମୃତକଙ୍କ ପରିବାର ଓ ସଂପର୍କୀୟ ମୃତଦେହକୁ ଡାକ୍ତରଖାନା ଆଗରେ ରଖି ଧାରଣାରେ ବସିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ଅଭିଯୁକ୍ତ ଫାର୍ମାସିଷ୍ଟକୁ ଗିରଫ କରିଛି ।