ନୂଆଦିଲ୍ଲୀ : ରୁଷ ଆକ୍ରମଣରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଛାତ୍ର ଜଣକ ହେଲେ ନବୀନ ଶେଖରପ୍ପା ଓ ସେ କର୍ଣ୍ଣାଟକର ବାସିନ୍ଦା ବୋଲି ଜଣାପଡିଛି । ଏହି ମାମଲାକୁ ନେଇ ଭାରତ ସରକାର ୟୁକ୍ରେନ-ରୁଷ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି । ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ୍ କରି କହିଛନ୍ତି, ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ଭାରତୀୟ ନାଗରିକଙ୍କ ପାଇଁ ତୁରନ୍ତ ସୁରକ୍ଷିତ ମାର୍ଗ ଦାବି ପାଇଁ ସମନ ଜାରି କରିଛନ୍ତି । ସେହିପରି ଉଭୟ ରାଜଦୂତଙ୍କୁ ବୈଦେଶିକ ମନ୍ତ୍ରଣାଳୟରେ ହାଜର ହେବାକୁ କୁହାଯାଇଛି ।
ୟୁକ୍ରେନର ଖାରକିଭ ଏବଂ ଅନ୍ୟ ଅଞ୍ଚଳ ଉପରେ ରୁଷର ଜୋରଦାର ଆକ୍ରମଣ ଜାରି ରହିଛି । ବାଗଚୀ ନବୀନଙ୍କୁ ନେଇ ଟ୍ୱିଟ୍ କରିଛନ୍ତି ଯେ, ଆମେ ବହୁତ ଦୁଃଖର ସହିତ ଏହା ଜଣାଉଛୁ ଯେ, ଖାରକିଭରେ ଆଜି ସକାଳେ ଜଣେ ଭାରତୀୟ ଛାତ୍ରଙ୍କ ଗୁଳି ବାଜିବାରୁ ମୃତ୍ୟୁ ଘଟିଛି ।