ଗୋଟିଏ କଲେଜର ତିନିଜଣ ଛାତ୍ରୀଙ୍କ ଆତ୍ମହତ୍ୟା

ବେକରେ ଦଉଡ଼ି, ନଦୀକୁ ଡେଇଁ, କୀଟନାଶକ ପିଇ ମଲେ ତିନି….

ଲକ୍ଷେ୍ନø: ୟୁପିର ସୀତାପୁର ଅନ୍ତର୍ଗତ ଏକ କଲେଜରେ ତିନି ଜଣ ନାବାଳିକାଙ୍କର ଆତ୍ମହତ୍ୟା ସମଗ୍ର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସୀତାପୁର ଜିଲ୍ଲାର କମଳାପୁରରେ ଅବସ୍ଥିତ ଆରବିଏସ୍‌ଏସ୍‌ କଲେଜରେ ସାତଦିନ ଭିତରେ ତିନୋଟି ଅକାଳ ମୃତ୍ୟୁ ସାଧାରଣ ଜନତା ଓ ପୁଲିସ ମନକୁ ଆନ୍ଦୋଳିତ କରିଛି । ଜନତାଙ୍କର ଭାବାବେଗକୁ ସମ୍ମାନ ଜଣାଇ ପୁଲିସ ବିନା ବ୍ୟବଚ୍ଛେଦରେ ମୃତ ଛାତ୍ରୀଙ୍କର ଅନ୍ତିମ ସଂସ୍କାରକୁ ଅନୁମତି ଦେଇଥିଲା ।

ସୂଚନା ମୁତାବକ ପ୍ରଥମେ ଏକାଦଶ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କଲେ । ପରେ ଦ୍ୱାଦଶ ଶ୍ରେଣୀର ଦୁଇଜଣ ଛାତ୍ରୀ ଆତ୍ମହତ୍ୟା କଲେ । ଶେଷକୁ ଦଶମ ଶ୍ରେଣୀର ଜଣେ ଛାତ୍ରୀ ହାତର ଶିରା କାଟି ଆତ୍ମହତ୍ୟା ଉଦ୍ୟମ କଲେ । ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଂପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଂଚାଇ ଥିଲେ । ଗୋଟିଏ କଲେଜର ଚାରି ଜଣ ଛାତ୍ରୀଙ୍କର ଦୁଃଖଦ ଘଟଣା ଦେଖିବା ପରେ କଲେଜ ପରିଚାଳନା କମିଟି କାରଣ ଖୋଜୁଛି । ଦାରୁଣ ମାନସିକ ନିର୍ଯାତନାର ଶିକାର ହୋଇଥିବା ସଂପର୍କରେ ପରିବାର ଲୋକେ କହିଛନ୍ତି ।

ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଇତିମଧ୍ୟରେ ପୁଲିସ ୧୨ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ପୁଲିସ ଦେଇଥିବା ସୂଚନା ଅନୁସାରେ ପ୍ରଥମ ଛାତ୍ରୀଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଦ୍ୱିତୀୟ ଛାତ୍ରୀଜଣକ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତୃତୀୟ ଛାତ୍ରୀଜଣକ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ । ନଦୀକୁ ଡେଇଁ ମୃତ୍ୟୁବରଣ କରିଥିବା ଝିଅର ଭାଇ କହିଛନ୍ତି ଯେ ତାଙ୍କ ଭଉଣୀ କାହା ସହିତ ମିଳାମିଶା କରୁଥିଲା? କୋଉଠି ଭେଟୁଥିଲା? ଗିରଫ ଲୋକମାନେ ସବୁ ଜାଣିଛନ୍ତି ।

ସାରା ଗ୍ରାମବାସୀ ଭୟ ଓ ଆତଙ୍କିତ ପରିବେଶରେ ଦିନ କାଟୁଛନ୍ତି । କଲେଜ ପ୍ରିନ୍‌ସିପାଲ ଜମାଲ ଅନ୍‌ସାରୀଙ୍କ ମତରେ କରୋନା କାରଣରୁ କଲେଜରେ ପାଠପଢ଼ା ବନ୍ଦ ଥିଲା । ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ କରାଯାଇଥିଲା । ଅନ୍‌ଲାଇନ୍‌ ଗ୍ରୁପରେ ଉଭୟ ପୁଅଝିଅ ଥିଲେ । ତେଣୁ ବିନା ତଦନ୍ତରେ କିଛି କହିବା ଠିକ୍‌ ହେବନି । ପୁଲିସ ଜଣେ ସେନା କର୍ମଚାରୀଙ୍କୁ ଗିରଫ କରିଛି । ଆତ୍ମହତ୍ୟା କରିଥିବା ତିନିଜଣ ଛାତ୍ରୀଙ୍କ ସହିତ ସଂପୃକ୍ତ ସେନା କର୍ମଚାରୀଙ୍କର ଗୋପନ ସଂପର୍କ ଥିବା ସନ୍ଦେହ କରାଯାଉଛି ।

ମୃତ ଛାତ୍ରୀଙ୍କୁ ଅଗ୍ନିବୀର ଭାବେ ନିଯୁକ୍ତ କରିବାର ପ୍ରଲୋଭନ ଦେଖାଇ ସେମାନଙ୍କ ସହ ଘନିଷ୍ଠ ସଂପର୍କ ରଖିଥିଲା । ପରେ ସଂପୃକ୍ତ ଝିଅମାନଙ୍କର କିଛି ସମ୍ବେଦନଶୀଳ ଭିଡିଓ ତିଆରି କରି ବ୍ଲାକମେଲ୍‌ କରୁଥିବ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ପୁଲିସ ମୃତ ତିନିଜଣ ଛାତ୍ରୀଙ୍କ ନିକଟରୁ ପାଇଥିବା ତିନୋଟି ସୁଇସାଇଡ୍‌ ନୋଟ୍‌ରୁ ସେମାନେ ଗୋଟିଏ କଲେଜର ଛାତ୍ରୀ ଥିବା ଜାଣିପାରିଛି । କିନ୍ତୁ ସେମାନଙ୍କର ଆତ୍ମହତ୍ୟା ଭିନ୍ନ ଭିନ୍ନ ଧରଣର ଥିବାରୁ ସେଗୁଡ଼ିକୁ ଭେଦ କରିବା କଷ୍ଟକର ହୋଇଛି ।