ଆଜି କଂଗ୍ରେସ ମଙ୍ଗ ଧରିବେ ଖାଡଗେ

ନୂଆଦିଲ୍ଲୀ:  ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ । ଏଥିଲାଗି ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଦୀର୍ଘ ୨୫ ବର୍ଷ ପରେ  ଅଣଗାନ୍ଧୀ ପରିବାରର ଜଣେ ନେତା  କଂଗ୍ରେସର ନେତୃତ୍ୱ ନେବାକୁ ଯାଉଛନ୍ତି। ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ  ଗାନ୍ଧୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ।

ଏଥିନିମନ୍ତେ ଆଜି ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉତ୍ସବରେ ଦଳର କେନ୍ଦ୍ରୀୟ ନେତୃତ୍ୱ ସହ ଅନେକ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକାରିଣୀ ସଦସ୍ୟ, ପିସିସି ମୁଖ୍ୟ, ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାବାଦ ପୂର୍ବତନ ପିସିସି ମୁଖ୍ୟ, ବିଧାୟକ ଦଳ ନେତା, AICC କର୍ମକର୍ତ୍ତା ବି ଯୋଗଦେବେ ବୋଲି ଜଣାଯାଇଛି।

୫୦ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ରହିଥିବା ଖାଡଗେ ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା, ଲୋକସଭାରେ କଂଗ୍ରେସ ଦଳର ନେତା ଏବଂ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପୂର୍ବରୁ ସେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ।  ଗତ ୧୭ ତାରିଖରେ ଅନୁଷ୍ଠିତ କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଖାଡଗେ ସାଂସଦ ଶଶି ଥରୁରଙ୍କୁ ପରାସ୍ତ କରି କଂଗ୍ରେସ ଅଧ୍ୟକ୍ଷ ପଦ ଅଳଙ୍କୃତ କରିବାର ବାଟ ପରିଷ୍କାର କରିଥିଲେ।