ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ସ୍ୱାଭାବିକ ହେବାକୁ ଯାଉଛି ଟ୍ରେନ୍ ଚଳାଚଳ । ମହାମାରୀ ପୂର୍ବ ସମୟରେ ଟ୍ରେନ୍ ଟିକଟ ମୂଲ୍ୟ ଯାହା ଥିଲା ସେହି ସ୍ଥିତି ଶୀଘ୍ର ଫେରିବ । ଏହା ହେଲେ ପ୍ରାୟ ୧୭୦୦ଟି ଟ୍ରେନର ଯାତ୍ରୀ ଭଡା ହ୍ରାସ ପାଇବ । ମହାମାରୀ ବ୍ୟାପିବା ପରେ ଏହି ସବୁ ଟ୍ରେନ୍ କୋଭିଡ୍ ସ୍ୱତନ୍ତ୍ର ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରୁଥିଲା । କିଛି ସ୍ୱଳ୍ପ ଦୂରଗାମୀ ଯାତ୍ରୀବାହୀ ଟ୍ରେନ୍କୁ ମଧ୍ୟ ସ୍ୱତନ୍ତ୍ର ବର୍ଗରେ ରଖାଯାଇଥିଲା ଯାହାର ଟିକଟ ମୂଲ୍ୟ ଅଧିକ ରହୁଥିଲା । ଯଦିଓ ଟ୍ରେନ୍ ସାରଣୀ କୋଭିଡ୍ ପୂର୍ବବର୍ତ୍ତୀ ସମୟକୁ ଫେରିଛି, ତଥାପି ରିହାତିରେ କଟକଣା, ଭୋଜନ ସେବା ଏବଂ ବେଡ୍ ରୋଲ୍ ସେବା ଆଦି ଉପରେ କିଛି ଦିନ ପାଇଁ କୋଭିଡ୍-୧୯ ସମ୍ପର୍କିତ କଟକଣା ଜାରି ରଖିବାକୁ ରେଳବାଇ ଚାହୁଛି ।