ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନର ଶୁଭାରମ୍ଭ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ….

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ଦ୍ୱାରା ଆଜି ଶୁଭାରମ୍ଭ ହୋଇଥିବା ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନର ଶୁଭାରମ୍ଭ ଦ୍ୱାରା ଉଭୟ ଦେଶ ମଧ୍ୟରେ ଉର୍ଜା ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇ ଦେଶ ମଧ୍ୟରେ ଉର୍ଜା ସୁରକ୍ଷା ବୃହତ ରଣନୈତିକ ପ୍ରକଳ୍ପ ‘ଭାରତ ବାଂଲାଦେଶ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନ’ ତଥା ବନ୍ଧୁତା ପାଇପଲାଇନର ଉଦଘାଟନ କରିଛନ୍ତି । ବାଂଲାଦେଶର ବିକାଶର ଏହି ଯାତ୍ରାରେ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇଛି । ୨୦୧୫ ମସିହା ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ବାଂଲାଦେଶ ଗସ୍ତରୁ ଏହି ପ୍ରକଳ୍ପର କଳ୍ପନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ‘ନେବରହୁଡ୍ ଫାଷ୍ଟ ପଲିସି’ରେ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ମତ ପ୍ରକାଶ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଉର୍ଜା ପ୍ରକଳ୍ପ ଜଡ଼ିତ ଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଏହି ଐତିହାସିକ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଥିବାରୁ ଶ୍ରୀ ପ୍ରଧାନ ଦୁଇ ଦେଶର ପ୍ରଧାନମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ବନ୍ଧୁତା ପାଇପଲାଇନ ଅନ୍ୟ ଏକ ପଦକ୍ଷେପ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହା ଜୁନ ମାସରେ ବାଂଲାଦେଶ ଗସ୍ତ କରିବା ସମୟରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ । ପେଟ୍ରୋଲିୟମ ପାଇପଲାଇନ ଏବଂ ଉର୍ଜା ସୁରକ୍ଷା ନେଇ ଉଭୟ ଦେଶର ସମ୍ପର୍କକୁ ଦୃଢୀଭୂତ କରିବା ବିଷୟରେ ଉଲ୍ଲେଖ କରିବା ବେଳେ ଏହି ପ୍ରକଳ୍ପ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ । ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କଳ୍ପନା ଓ ବିଚାରକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଉଭୟ ଦେଶ ମଧ୍ୟରେ ପାଇପଲାଇନ ନେଇ ଆଲୋଚନା ସମୟରେ ପ୍ରଥମେ ଟ୍ରେନ୍ ଯୋଗେ ଇନ୍ଧନ ପରିବହନ ନେଇ ଚିନ୍ତା କରାଯାଇଥିଲା । ୨୦୧୬ ମାର୍ଚ୍ଚ ୧୭ରେ ଶ୍ରୀ ପ୍ରଧାନ ସିଲିଗୁଡିରୁ ବାଂଲାଦେଶକୁ ଟ୍ରେନ୍ ଜରିଆରେ ହାଇସ୍ପିଡ୍ ଡିଜେଲ ପରିବହନର ଶୁଭାରମ୍ଭ କରିଥିଲେ, ଯାହା ୨୦୧୭ରେ ବାଣିଜ୍ୟିକ ବ୍ୟବସାୟରେ ପରିଣତ ହୋଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୬ ମସିହା ଏପ୍ରିଲ ମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢାକା ଗ୍ରସ୍ତ ସମୟରେ ଅନେକ ଉର୍ଜା ପ୍ରକଳ୍ପ ସମେତ ବନ୍ଧୁତା ପାଇପଲାଇନ ବିଷୟରେ ଆଲୋଚନା କରିବା ସହ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ଅସୀନା ଓ ଷ୍ଟେକହୋଲ୍ଡରଙ୍କ ସହ ସାକ୍ଷାତ୍ କରିଥିଲେ । ୨୦୧୭ ଏପ୍ରିଲ ମାସରେ ଏନଆରଏଲ ଏବଂ ବିପିସି ମଧ୍ୟରେ ଭାରତରୁ ବାଂଲାଦେଶକୁ ପାଇପଲାଇନ ମାଧ୍ୟମରେ ହାଇସ୍ପିଡ୍ ଡିଜେଲ୍ ପ୍ରଦାନ କରିବା ନେଇ ଦୀର୍ଘମିଆଦି କାରବାର ସମ୍ବନ୍ଧୀୟ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କ୍ରିୟାନ୍ୱୟନ ହେବା ନେଇ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ ଭାରତ-ବାଂଲାଦେଶ ଉତ୍ପାଦ ପାଇପଲାଇନ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । କୋଭିଡ୍ ମହାମାରୀର ବିଳମ୍ବ ସତ୍ତ୍ୱେ ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରାଯିବା ସହ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।