ଅସ୍ଥିର ବାଂଲାଦେଶ, ଆଲର୍ଟରେ ଓଡ଼ିଶା

ସମୁଦ୍ରରେ କଡ଼ା ପହରା, ପାଟ୍ରୋଲିଂ ବୋଟ୍‌ର ଘନ ଘନ ପଇଁତରା । ତନାଘନା ଓ ପଚରାଉଚରା । ଜଳପଥରେ ସନ୍ଦିଗ୍ଧ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ୍ । ବାଂଲାଦେଶର ରାଜନୈତିକ ହିଂସା ଲାଗିରହିଥିବା ବେଳେ, ଭାରତ ଭିତରକୁ ଅବୈଧ ଅନୁପ୍ରବେଶ ବଢ଼ିପାରେ । ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।

ପଶ୍ଚିମବଙ୍ଗ ପରେ ସବୁଠୁ ସହଜ ଟାର୍ଗେଟ୍ ହେଉଛି ଓଡ଼ିଶା । କାରଣ ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଓଡ଼ିଶାର ବିସ୍ତୀର୍ଣ୍ଣ ୪୮୦ କିଲୋମିଟର ସମୁଦ୍ର ତଟ । ଯାହାକୁ ଛୋଟ ଡଙ୍ଗାରେ ବି ଅଳ୍ପ କିଛି ଘଣ୍ଟା ଭିତରେ ପାରି କରିହେବ ।କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର । ରାଜ୍ୟର ସମସ୍ତ ତଟବର୍ତ୍ତୀ ଜିଲ୍ଲାକୁ ଆଲର୍ଟ କରାଯାଇଥିଲେ ବି, ହାଇ-ଆଲର୍ଟରେ ଅଛନ୍ତି ଏହି ୩ ଅନୁପ୍ରବେଶ ପ୍ରବଣ ଜିଲ୍ଲା । ଏହି ୩ ଜିଲ୍ଲାର ୯ଟି ସାମୁଦ୍ରିକ ଥାନାକୁ ସତର୍କ କରାଯିବା ସହିତ, ସେଠାରେ ଫୋର୍ସ ବଢ଼ାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଓଡ଼ିଶାର ତଟ । ସମୁଦ୍ର ତଟଠୁ ୫ ନଟିକାଲ୍ ମାଇଲ୍ ଯାଏଁ ମେରାଇନ ପୋଲିସ ପାଟ୍ରୋଲିଂ କରିବାକୁ ଥିବା ବେଳେ, ତା ପରେ ତଟରକ୍ଷୀ ବାହିନୀ ଏବଂ ନୌସେନା ଜଗୁଛନ୍ତି । ଗୁଇନ୍ଦା ବିଭାଗ ବି ସକ୍ରିୟ ଥିବା ବେଳେ, ମତ୍ସ୍ୟଜୀବୀଙ୍କୁ ବି ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ।

ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଇତିହାସ ୫ ଦଶନ୍ଧିରୁ ଆହୁରି ପୁରୁଣା । ୧୯୭୧ ମୁକ୍ତିଯୁଦ୍ଧ ଏବଂ ତା ପୂର୍ବରୁ ମଧ୍ୟ ଓଡ଼ିଶାରେ ବସବାସ କରୁଛନ୍ତି ବାଂଲାଦେଶୀ ନାଗରିକ । ୨୦୨୩ର ସରକାରୀ ତଥ୍ୟ କହୁଛି, ଓଡ଼ିଶାର ୧୧ଟି ଜିଲ୍ଲାରେ ଶରଣାର୍ଥୀ ଭାବେ ଅଛନ୍ତି ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ। ରାଜ୍ୟରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୩ ହଜାର ୭୪୦ ବୋଲି ଦର୍ଶାଯାଇଥିଲେ ମଧ୍ୟ, ପ୍ରକୃତ ସଂଖ୍ୟା ଏହାଠୁ ଢେର୍ ଅଧିକ ବୋଲି କୁହାଯାଏ। ଏସବୁ ଭିତରେ ବାଂଲାଦେଶରୁ ଅନୁପ୍ରବେଶ ଆଶଙ୍କା ବଢ଼ିବା କଥା ଶୁଣି ସମୁଦ୍ର କୂଳିଆ ଲୋକଙ୍କ ମନରେ ଛନକା ପଶିଛି।