ପାକିସ୍ତାନ ରୋଗକୁ କାମ କରିବ ଆମେରିକା ବଟିକା

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଆଗମନ ପରେ ପାକିସ୍ତାନ ରାଜନୀତି ବେଶ ସରଗରମ ହୋଇଛି । ପାକିସ୍ତାନର ପରମାଣୁ ବୋମା ପରୀକ୍ଷଣକୁ ଆମେରିକା ଚାହୁଁ ନଥିବା କଥା ଶରିଫ କହିବା ପରେ ପାକ୍‌ ସେନା ପାରା ମସ୍ତିଷ୍କକୁ ଚଢ଼ି ଯାଇଛି । ତା’ର ଉପଶମ ପାଇଁ ଭାରତ ଆଡକୁ ଗୁଳି ଚଳାଇଛି । ଭାରତ-ପାକ୍‌ ସୀମାନ୍ତ ନିକଟରେ ପାକ୍‌ ରେଞ୍ଜର୍ସ ପକ୍ଷରୁ ଭାରତ ଉପରକୁ ଗୁଳିବର୍ଷା କରାଯାଇଛି । ଭାରତର ସୀମା ସୁରକ୍ଷା ବଳ ଯବାନମାନେ ତା’ର କଡ଼ା ଜବାବ ଦେଉଛନ୍ତି ।

ମାତ୍ର ପାକିସ୍ତାନର ‘ଆ ବଳଦ ମୋତେ ବିନ୍ଧ’ ନୀତି ଭାରତକୁ ଚିନ୍ତାରେ ପକାଇଛି । ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାର ଅଛି । ଭାରତ ବିରୋଧରେ ଲୋକଙ୍କୁ ମତାଇ ନିର୍ବାଚନରେ ବାଜି ମାରିବା ଯୋଜନା ଶରିଫଙ୍କର ଅତି ପୁରୁଣା । ଭାରତର ଶାନ୍ତ ପରିବେଶକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ଓ ଚୀନ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ଚୀନର ବୃହତ୍‌ ନୌଭେଳା ଶ୍ରୀଲଙ୍କା ଉପକୂଳରେ ପହଂଚି ଭାରତର ନୌସେନା ଶକ୍ତିକୁ କଳନା କରୁଛି।

ଉଭୟ ପାକିସ୍ତାନ ଓ ଚୀନ୍‌ ଏକାବେଳକେ ଭାରତକୁ ଡରାଉଛନ୍ତି । ଭାରତର ସାଧାରଣ ନିର୍ବାଚନ ସମୟରେ ଦୁଇ ପଡେ଼ାଶୀ ଦେଶର ଏପରି ହରକତ ନିର୍ବାଚନକୁ ପ୍ରଭାବିତ କରିବ ନିଶ୍ଚିତ । ସ୍ଥଳପଥରେ ପାକିସ୍ତାନ ଓ ଜଳପଥରେ ଚୀନକୁ କଡ଼ା ଜବାବ ଦେବା ପାଇଁ ଭାରତକୁ କୂଟନୈତିକ ଉପାୟ ଚିନ୍ତା କରିବାକୁ ପଡ଼ିବ । ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ ଆମେରିକାକୁ ଘନିଷ୍ଠ ମିତ୍ର ମଣୁଛନ୍ତି । ଭାରତର ଦୁଇ ପଡେ଼ାଶୀଙ୍କୁ ସାବାଡ୍‌ ପାଇଁ ମୋଦିଜୀଙ୍କୁ ଆମେରିକା କିଭଳି ସାହାଯ୍ୟ କରୁଛି, ତାହା ଦେଖିବାକୁ ବାକି ରହିଲା ।