ଭୋଟର ତାଲିକା ସଂଶୋଧନ ଅସମ୍ଭବ: ଘରକୁ ଘର ବୁଲୁନାହାନ୍ତି ବୁଥ୍‌ ଅଧିକାରୀ

ନିର୍ବାଚନ କମିଶନଙ୍କ ଆଦେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି ବୁଥ୍‌ ସ୍ତରୀୟ ଅଧିକାରୀ । ପ୍ରତି ଘରକୁ ଘର ଯାଇ ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ କମିଶନଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ମାତ୍ର ରାଜ୍ୟର ଦୁର୍ଗମ ଅଂଚଳ କଥା କହିବା କ’ଣ, ଖୋଦ୍‌ ଭୁବନେଶ୍ୱରରେ ବୁଥ୍‌ ସ୍ତରୀୟ ଅଧିକାରୀମାନେ କମିଶନଙ୍କ ଆଦେଶକୁ ମାନୁନାହାନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନି ।

ଅତଏବ ନଭେମ୍ବର ୫, ୧୧, ୧୯ ଓ ୨୫ ତାରିଖରେ ଭୋଟର ସଂଶୋଧନ ପ୍ରକ୍ରିୟାର ସଫଳ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଥ୍‌ ସ୍ତରୀୟ ଅଧିକାରୀଙ୍କୁ ଭେଟିଲେ ସେମାନେ ଅନ୍‌ ଲାଇନ୍‌ରେ ଆବେଦନ କରନ୍ତୁ କହି ଆପଣା ଦାୟିତ୍ୱରୁ ହଟି ଯାଉଛନ୍ତି । ସବୁ ଭୋଟରମାନେ ଅନ୍‌ ଲାଇନ୍‌ ଜରିଆରେ ଆବେଦନ କରି ପାରନ୍ତିନି ।

ଅନ୍‌ ଲାଇନ୍‌ ରେ ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିବା କାମରେ ବୁଥ୍‌ ସ୍ତରୀୟ ଅଧିକାରୀମାନେ ଅସହଯୋଗ କରୁଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଚାହିଁଲେ ପ୍ରମାଣ ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର ନାଗରିକ ଅଧିକାର ମଂଚ କହିଛି ।

୨୦୨୪ ଜାନୁଆରି ୫ ତାରିଖରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨୦୨୪ ଜାନୁଆରି ପହିଲା ସୁଦ୍ଧା ଯୋଉମାନଙ୍କର ବୟସ ୧୮ ବର୍ଷ ହେଉଥିବ । ସେମାନଙ୍କୁ ନୂଆ ଭୋଟର ତାଲିକାରେ ସାମିଲ କରିବା ଭୋଟର ସଂଶୋଧନ ପ୍ରକ୍ରିୟାର ମୌଳିକ ଉଦ୍ଦେଶ୍ୟ ।