ତାଇୱାନକୁ ପାଟ୍ରିଅଟ୍‌ ମିସାଇଲ ଦେବ ଆମେରିକା!

ୱାସିଂଟନ : ତାଇୱାନ ବାୟୁସୀମାରେ ଚୀନର ଲଢୁଆ ବିମାନ ବାରମ୍ବାର ଅନୁପ୍ରବେଶ କରିଚାଲିଛି । ଏହି ପରିପ୍ରେକ୍ଷୀରେ ତାଇୱାନକୁ ସୁରକ୍ଷା ଦେବ ଆମେରିକା । ଆମେରିକା ତାଇୱାନକୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ପାଟ୍ରିଅଟ୍‌ ମିସାଇଲ ବିକ୍ରି କରିବାକୁ ଘୋଷଣା କରିଛି । ଏହି ଏୟାର ଡିଫେନ୍ସ ବିକ୍ରି ପାଇଁ ଆମେରିକା ୧୦୦ ନିୟୁତ ଡଲାର ଅର୍ଥରାଶି ମଞ୍ଜୁର କରିଛି । ଏହି ଏୟାର ଡିଫେନ୍ସ ସିଷ୍ଟମ ଚୀନର କ୍ଷେପଣାସ୍ତ୍ର ଓ ଲଢୁଆ ବିମାନ ବିରୋଧରେ ତାଇୱାନକୁ ସୁରକ୍ଷା ଦେଇପାରିବ ।

ଅନ୍ୟପ୪ରେ ତାଇୱାନରେ ଏହି ସିଷ୍ଟମର ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ଏହି ରାଶି ବ୍ୟୟ ହେବ । ସୂଚନାଯୋଗ୍ୟ ଯେ ତାଇୱାନକୁ ଚୀନ ଅଧିକାର କରିବା ବିଷୟରେ ଚୀନ ରାଷ୍ଟ୍ରପତି ସଙ୍କେତ ଦେଇସାରିଛନ୍ତି । ସେହିପରି ଚୀନ ରାଷ୍ଟ୍ରପତି କହିଛନ୍ତି ଯେ ଏହି ସମସ୍ୟାକୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ତେବେ ଏହା ଶାନ୍ତିପୂର୍ଣ୍ଣ ଭାବରେ ହେଲେ ଭଲ । କିନ୍ତୁ ଆବଶ୍ୟକ ପଡିଲେ ବଳପ୍ରୟୋଗ କରିବାକୁ ମଧ୍ୟ ଚୀନ ପଛଘୁଞ୍ଚା ଦେବ ନାହିଁ । ସୂଚନାଯୋଗ୍ୟ ଯେ, ତାଇୱାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ଚୀନ ତାଇୱାନକୁ ନିଜର ଅଂଶ ବୋଲି ଦାବି କରିବା ସହ ଏହାକୁ ନିଜ ଅକ୍ତିଆରକୁ ନେବାକୁ କରିବାକୁ ସ୍ୱପ୍ନ ଦେଖୁଛି ।