ଆଜି ଇଣ୍ଡୋନେସିଆରେ ମତଦାନ

ଜାକର୍ତା: ବିଶ୍ୱରେ ତୃତୀୟ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଜଣାଶୁଣା ଇଣ୍ଡୋନେସିଆରେ ଆଜି ମତଦାନ ପ୍ରକ୍ରିୟା ଚାଲିଛି । ରାଷ୍ଟ୍ରପତି ଜୋକୋ ବିଡୋଡୋ ସର୍ବାଧିକ ଦୁଇଟି କାର୍ଯ୍ୟକାଳ ଅତିକ୍ରମ କରିସାରିଛନ୍ତି । ଭୋଟର ନୂଆ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ମତଦାନ କରୁଛନ୍ତି ।

ବୁଧବାର ଚାଲିଥିବା ମତଦାନ ଜରିଆରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ସଂସଦୀୟ ପ୍ରତିନିଧିମାନେ ନିର୍ବାଚିତ ହେବେ । ତିନିଜଣ ପ୍ରାର୍ଥୀ ଯଥା ଗଂଜର ପ୍ରଣୋବୋ, ଅନିସ ବାସଦେବନ୍‌ ଓ ପ୍ରବୋବୋ ସୁବିୟାନ୍ତୋ ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି ।

ନିର୍ବାଚନ ଆୟୋଗ ପକ୍ଷରୁ ଅନୌପଚାରିକ ଭାବେ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ଜଣାଇ ଦିଆଯିବ । ମାତ୍ର ଔପଚାରିକ ଭାବେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିବାକୁ ମାସାଧିକ ସମୟ ଲାଗିବ । ନୂଆ ରାଷ୍ଟ୍ରପତି ଅକ୍ଟୋବରରେ ଶପଥ ନେବେ ।

୧୯୯୮ରେ ଇଣ୍ଡୋନେସିଆ ଗଣତନ୍ତ୍ର ଶାସନକୁ ଗ୍ରହଣ କରିଥିଲା । ୨୭ କୋଟି ଜନତା ବିଶିଷ୍ଟ ଇଣ୍ଡୋନେସିଆରେ ୨୦ କୋଟି ଭୋଟର ଅଛନ୍ତି । ୧୭ ବର୍ଷ ବା ତତୋଧିକ ବୟସଧାରୀଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀଙ୍କୁ ଅନ୍ୟୁନ ୫୦ ପ୍ରତିଶତ ଭୋଟ ଓ ସବୁ ରାଜ୍ୟରୁ ୨୦ ପ୍ରତିଶତ ଭୋଟ ପାଇବା ଜରୁରୀ ।