ଗୁଜରାଟ ଓ ହିମାଚଳ ପ୍ରଦେଶରେ ସରିଲା ମତଦାନ

ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମଧ୍ୟ ମତଦାନ ପ୍ରକ୍ରିୟା ସରିଛି….

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସରିଛି । ଗୁଜରାଟରେ ୧୪ଟି ଜିଲ୍ଲା ଅନ୍ତର୍ଗତ ୯୩ଟି ଆସନ ପାଇଁ ମତଦାନ ଚାଲିଥିଲା । ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମଧ୍ୟ ମତଦାନ ପ୍ରକ୍ରିୟା ସରିଛି । ଗୁଜରାଟରେ ମତଦାନ ହାର ପ୍ରାୟ ୫୯% ରହିଛି । ଆସନ୍ତା ୮ ତାରିଖରେ ମତଗଣନା କରାଯିବ । ଭୋଟ ସରିଲା ପରେ ମତଗଣନା ଉପରେ ସବୁ ରାଜନୈତିକ ଦଳର ନଜର ରହିବା ସ୍ୱାଭାବିକ ।

ଅତୀତର ନିର୍ବାଚନରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ଲଢେ଼ଇ କରୁଥିଲେ । ଏଥର ଆମ୍‌ ଆଦ୍‌ମୀ ପାର୍ଟି ଗୁଜରାଟର ସବୁ ଆସନରେ ନିର୍ବାଚନ ଲଢ଼ିଥିବାରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାର ଫଳାଫଳକୁ ନେଇ ତିନିଦଳର ରାଜନେତାଙ୍କ ମନରେ ନାନା ଆଶଙ୍କା ଦେଖାଦେଇଛି । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଡ଼ରେ ଆପ୍‌ ନିର୍ବାଚନ ଲଢିଛି ।

ବିଶେଷ କରି ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ଆପ୍‌ ମନରେ ଦୃଢ଼ ସାହସ ଭରିଥିଲା । ଯାହା ଜଣାଯାଉଛି, ଆଗାମୀ ଦିନରେ ଆପ୍‌ ଜାତୀୟ ଦଳ ଭାବେ ସ୍ୱୀକୃତି ପାଇବ ଓ ସବୁ ଲୋକସଭା ଆସନରେ ଲଢ଼ିବ ।

ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି । ଗୁଜରାଟର ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଗୁଜରାଟ ବିଜେପିର ତୁଙ୍ଗନେତାଙ୍କ ସହିତ ମୋଦୀ ଓ ଅମିତ ଆଲୋଚନା କରିଛନ୍ତି । ନିର୍ବାଚନରେ ଶିକ୍ଷିତ ଭୋଟରଙ୍କ ମତଦାନ ହାର ଯଥେଷ୍ଟ କମିଯାଉଛି । ଫଳରେ ଭାରତର ନିର୍ବାଚନ କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି ।