ବାହାଘର ନୁହେଁ ଖେଳଘର, ଧାର୍ମିକ ନେତା ଗିରଫ

ନାବାଳିକାଙ୍କୁ ବିବାହ କରି ଅଡୁଆରେ ପଡ଼ିଲେ…..

ଏରିଜୋନା: ଖ୍ରୀଷ୍ଟଧର୍ମର ଜଣେ ଧାର୍ମିକ ନେତା ପ୍ରାୟ ୨୦ ଜଣଙ୍କୁ ବିବାହ କରି ଅଡୁଆରେ ପଡ଼ିଛନ୍ତି । ଅଭିଯୁକ୍ତଙ୍କର ଅଧିକାଂଶ ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ୍‌ । ସବୁଠାରୁ ସାନ ପତ୍ନୀଙ୍କ ବୟସ ମାତ୍ର ୯ ବର୍ଷ । ଅଭିଯୁକ୍ତ ଧର୍ମଗୁରୁ ଏତେ ନୀଚ ପ୍ରକୃତିର ଯେ ନିଜ ଝିଅକୁ ବିବାହ କରିଛନ୍ତି । ଆମେରିକା ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ସୂଚନା ମୁତାବକ, ଘଟଣାଟି ଏରିଜୋନା ଅଂଚଳର । ଆମେରିକାର ଧାର୍ମିକ ସଂଗଠନ ଯାହାର ନାମ ‘ଫଣ୍ଡାମେଂଟାଲିଷ୍ଟ୍‌ ଚର୍ଚ୍ଚ ଅଫ୍‌ ଜୀସସ୍‌ ଖ୍ରୀଷ୍ଟ୍‌ ଅଫ୍‌ ଲେଟର-ଡେ ସେଂଟ୍ସ’ ।

ଉକ୍ତ ସଂଗଠନ ବହୁ ବିବାହର ଗୁଣଗ୍ରାହୀ । ସେହି ସଂଗଠନର ନେତା ହେଉଛନ୍ତି ୪୬ ବର୍ଷୀୟ ସାମୁଏଲ୍‌ ରେପିଲେ ବ୍ୟାଟ୍‌ମ୍ୟାନ୍‌ । ୨୦୧୯ରେ ଉକ୍ତ ସଂଗଠନର ସଭ୍ୟ ସଂଖ୍ୟା ୫୦ ଅତିକ୍ରମ କରିଥିଲା । ତା’ପରେ ସାମୁଏଲ୍‌ ନିଜକୁ ଧାର୍ମିକ ନେତା ଘୋଷଣା କରି ନାବାଳିକା ବିବାହକୁ ପ୍ରୋତ୍ସାହନ ଦେଉଥିଲେ । ସାମୁଏଲଙ୍କ ମତରେ ପ୍ରଭୁ ଯୀଶୁ ଝିଅମାନଙ୍କ ପାଇଁ ପ୍ରାଣବଳି ଦେଇଛନ୍ତି । ଚଳିତ ସେପ୍ଟେମ୍ବରରେ ସାମୁଏଲଙ୍କର ପତନ ଆରମ୍ଭ ହୋଇଥିଲା । ଜଣେ ଟେଲରଙ୍କ ନାବାଳିକା କନ୍ୟାକୁ ଧରି ପଳାୟନ କରୁଥିବା ସମୟରେ ପୁଲିସ ତାଙ୍କୁ ଧରିଥିଲା ।

ଅଭିଯୁକ୍ତଙ୍କ ବିରୋଧରେ ଶିଶୁ ଯୌନ ନିର୍ଯାତନା ମାମଲା ରୁଜୁ କରାଗଲା । ସଂପୃକ୍ତ ଘଟଣାରେ ସାମୁଏଲ୍‌ କୋର୍ଟରୁ ଜାମିନ ପାଇ ମୁକୁଳିଥିଲେ । ଦ୍ୱିତୀୟବାର ତାଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ କରାଗଲା । ସେ ମହିଳା ଓ ଯୁବତୀଙ୍କର ଜାଲ ପାସପୋର୍ଟ ତିଆରି କରୁଥିଲା । ପୁଲିସ ସାମୁଏଲ୍‌ଙ୍କ ଦୁଇଟି ଘର ଉପରେ ଚଢ଼ଉ କରି ୯ରୁ ଅଧିକ ଝିଅଙ୍କୁ ଉଦ୍ଧାର କରିଥିଲା । ଆମେରିକା ମାଜିଷ୍ଟ୍ରେଟ୍‌ ଜଜ୍‌ କେମିଲି ବାଇବିଲ ଅଭିଯୁକ୍ତଙ୍କର ଜାମିନ ନାମଞ୍ଜୁର କରି ମାମଲାର ବିଚାର ଆରମ୍ଭ ନ ହେବା ଯାଏ ତାଙ୍କୁ ଜେଲରେ ରଖିବାକୁ ଆଦେଶ ପ୍ରଦାନ କରିଛନ୍ତି ।