ପ୍ରଥମ ଟେଷ୍ଟ୍‌: ପାକିସ୍ତାନକୁ ୭୪ ରନରେ ହରାଇଲା ଇଂଲଣ୍ଡ

ରାୱଲପିଣ୍ଡି: ତିନିମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୭୪ ରନ୍‌ ବ୍ୟବଧାନରେ ପରାସ୍ତ କରିଛି । ସୋମବାର ରାୱଲପିଣ୍ଡି ଷ୍ଟାଡିୟମରେ ଇଂଲଣ୍ଡ ଖେଳାଳିଙ୍କ ମୁହଁରେ ହସ ଓ ପାକିସ୍ତାନ ଖେଳାଳିଙ୍କ ମୁହଁରେ ସରମ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରି ଫାଷ୍ଟ ଇନିଂସରେ ବିଶାଳ ସ୍କୋର ୬୫୭ କରିଥିଲା; ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ୫୦୦ରୁ ଅଧିକ ରନ୍‌ କରି ବିଶ୍ୱ କିର୍ତୀ ସ୍ଥାପନ କରିଥିଲା ।

ଇଂଲଣ୍ଡ ଦଳ ଦ୍ୱିତୀୟ ଦିନରେ ୨୬୪ ରନ୍‌ କରି ପାଳି ସମାପ୍ତି ଘୋଷଣା କରିଥିଲା । ପାକିସ୍ତାନ ଟିମ୍‌ ଜୋରଦାର ଲଢେ଼ଇ କରି ୫୭୯ ପର୍ଯ୍ୟନ୍ତ ଯାଇଥିଲା । ଇଂଲଣ୍ଡ ଦ୍ୱିତୀୟ ପାଳି ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରି ପାକିସ୍ତାନକୁ ଜିତିବା ପାଇଁ ୩୪୩ ରନ୍‌ ଟାର୍ଗେଟ୍‌ ଦେଇଥିଲା । ତେବେ ପାକିସ୍ତାନ ଦ୍ୱିତୀୟ ପାଳି ବ୍ୟାଟିଂ କରି ଖେଳ ଶେଷ ସୁଦ୍ଧା ୨୬୮ ରନ୍‌ କରିଥିଲା । ଦୀର୍ଘ ୨୨ ବର୍ଷ ପରେ ଇଂଲଣ୍ଡ ପାକିସ୍ତାନକୁ ତା’ରି ମଇଦାନରେ ଧୂଳି ଚଟାଇଛି । ୨୦୦୦ରେ କରାଚୀ ଷ୍ଟାଡିୟମରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇଥିଲା ଇଂଲଣ୍ଡ ।

ଆସନ୍ତା ୯ ତାରିଖରେ ମୁଲତାନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଦ୍ୱିତୀୟ ପାଳି ବ୍ୟାଟିଂରେ ପାକିସ୍ତାନ କ୍ରିକେଟିୟର ସୌଦ ସକିଲ ଧୂଅାଁଧାର ବ୍ୟାଟିଂ କରି ବ୍ୟକ୍ତିଗତ ଭାବେ ୭୬ ରନ୍‌ କରିଥିଲେ । ଇମାମ ଉଲ୍‌ ହକ୍‌ ୪୮, ୱିକେଟ୍‌ ରକ୍ଷକ ମହମ୍ମଦ ରିଜୱାନ୍‌ ୪୬ ରନ୍‌ ବଳରେ ପାକିସ୍ତାନ ୫ ୱିକେଟ୍‌ ବିନିମୟରେ ୨୫୯ କରିବାକୁ ସକ୍ଷମ ହୋଇଥିଲା । ମାତ୍ର ଆଗା ସଲମାନ ୩୦ ଓ ଅଜହର ଅଲୀ ୪୦ ରନ୍‌ କରି ଆଉଟ୍‌ ହେବା ପରେ ପାକିସ୍ତାନ ଟିମ ଆତ୍ମବିଶ୍ୱାସ ହରାଇଥିଲା । ଦ୍ୱିତୀୟ ପାଳିରେ ବାବର ଆଜମ ମାତ୍ର ୪ ରନ୍‌ କରିଥିଲେ ।