ଜାପାନକୁ ଟପିଲୁ, ଜର୍ମାନୀକୁ ପଛରେ ପକାଇବୁ

୨୦୨୫ ଭାରତ ପାଇଁ ଶୁଭଦାୟକ ଥିଲା। ନୋମିନାଲ ଜିଡିପି …

ନୂଆଦିଲ୍ଲୀ: ୨୦୨୫ ଭାରତ ପାଇଁ ଶୁଭଦାୟକ ଥିଲା। ନୋମିନାଲ ଜିଡିପି ଆଧାରରେ ଜାପାନକୁ ପଛରେ ପକାଇ ଭାରତ ହୋଇଛି ଚତୁର୍ଥ ଆର୍ଥିକ ମହାଶକ୍ତି। ସରକାରଙ୍କ ବର୍ଷ ଶେଷ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ୨୦୨୬ ପ୍ରଥମାର୍ଦ୍ଧରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଓଗୠ) ଦ୍ୱାରା ଜାରି ହେବାକୁ ଥିବା ତଥ୍ୟରୁ ଏହା ନିଶ୍ଚିତ ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ, ଆଗାମୀ କିଛି ବର୍ଷରେ ଜର୍ମାନିକୁ ଟପିବ ଭାରତ।

ଏଥିସହିତ ଏହା ଆମେରିକା ଓ ଚୀନ୍‌ ପରେ ହେବ ତୃତୀୟ ବୃହତ୍‌ ଅର୍ଥନୀତି। ସରକାରୀ ବିବୃତି ଅନୁସାରେ, ଭାରତର ଜିଡିପି ବର୍ତମାନ ରହିଛି ୪.୧୮ ଟ୍ରିଲିୟନ ଡଲାର। ଏଥିସହିତ ଏହା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିଛି। ଆଗାମୀ ୩ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଦେଶର ଜିଡିପି ୭.୩ ଟ୍ରିଲିୟନ ଡଲାର ଛୁଇଁବ ଏବଂ ଜର୍ମାନିକୁ ପଛରେ ପକାଇ ଭାରତ ପାଲଟିବ ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା।

ଗତ କିଛି ବର୍ଷ ହେବ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି। ଗତ ୧୦ ବର୍ଷରେ ଅର୍ଥନୀତିର ଆକାର ଦୁଇଗୁଣା ହୋଇଛି। ଏବେ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ହେବାକୁ ଅଗ୍ରସର ହେଉଛି ଭାରତ।
ଆଇଏମ୍‌ଏଫ୍‌ ଆକଳନ କରିଛି ଯେ, ୨୦୨୬ରେ ଭାରତୀୟ ଅର୍ଥନୀତିର ଆକାର ହେବ ୪.୫୧ ଟ୍ରିଲିୟନ ଡଲାର, ଯାହାକି ଜାପାନର ୪.୪୬ ଟ୍ରିଲିୟନ ଡଲାରଠାରୁ ସାମାନ୍ୟ ଅଧିକ। ଅଗଷ୍ଟରେ ଆମେରିକାର ଟାରିଫ୍‌ ଏବଂ ରୁଷ ତେଲ କ୍ରୟ କଟକଣା ମଧ୍ୟରେ ଭାରତ ସରକାର ଦେଶର ଭବିଷ୍ୟତକୁ ନେଇ ଆଶାବାଦୀ ରହିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ ସୀମା ମଧ୍ୟରେ ରହିଛି। ବେକାରି ହାର କମିଛି ଏବଂ ରପ୍ତାନିରେ ଦେଖାଦେଇଛି ସୁଧାର।

ବ୍ୟବସାୟଗୁଡିକୁ ଆବଶ୍ୟକତା ମୁତାବକ ଋଣ ଯୋଗାଣ ସହ ଚାହିଦା ବୃଦ୍ଧି ଅର୍ଥନୀତି ପାଇଁ ସହାୟକ ହୋଇଥିବା ଏଥିରେ କୁହାଯାଇଛି। ୨୦୨୫- ୨୬ର ଦ୍ୱିତୀୟ ତ୍ରୟମାସରେ ଦେଶର ବାସ୍ତବ ଜିଡିପି ୮.୨% ବଢ଼ିଛି, ଯାହାକି ପ୍ରଥମ ତ୍ରୟମାସରେ ଥିଲା ୭.୮% ।

ମଜଭୁତ ଘରୋଇ ଚାହିଦା ଯୋଗୁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଦେଶର ଅଭିବୃଦ୍ଧି ୭.୩% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଆୟକର ଏବଂ ଜିଏସ୍‌ଟି ସଂସ୍କାର, ଅଶୋଧିତ ତୈଳ ଦରରେ ହ୍ରାସ ଓ ସରକାରଙ୍କ ପୁଞ୍ଜି ବ୍ୟୟରେ ବୃଦ୍ଧି ଅର୍ଥନୀତିର ଗତିକୁ ଦ୍ରୁତ କରିଥିବା ରିପୋର୍ଟରେ କୁହାଯାଇଛି। ବର୍ତମାନର ସଂସ୍କାର ପଦକ୍ଷେପ ଅଭିବୃଦ୍ଧିକୁ ଦ୍ରୁତ କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।