ଅନୁପ୍ରବେଶକାରୀଙ୍କ ଏନ୍ତୁଡ଼ିଶାଳ ପଶ୍ଚିମବଙ୍ଗ

କୋଲକାତାରେ ପାଦ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ …

କୋଲକାତା: କୋଲକାତାରେ ପାଦ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେଠାକାର ଆଂଚଳିକ ସରକାରକୁ ଚାଲେଂଜ କରିଛନ୍ତି। କହିଛନ୍ତି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ। ସେ ଏଭଳି ଦୃଢେ଼ାକ୍ତି କରିବା ପଛରେ ‘ସବୁକିଛି ପୂର୍ବ ନିର୍ଦ୍ଧାରିତ’ ପ୍ରତୀୟମାନ ହେଉଥିଲା। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କୋଲକାତାରେ ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଅମିତ ଶାହ।
୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ। ୨୦୨୪ରେ ଓଡିଶା ଓ ଆନ୍ଧ୍ରରେ ସରକାର ଗଢିଲୁ। ଏବେ ପଶ୍ଚିମବଙ୍ଗ ପାଳି। ୨୦୨୬ରେ ଦୁଇ ତୃତୀୟାଂଶ ଗରିଷ୍ଠତା ସହ ବେଙ୍ଗଲରେ ସରକାର ଗଢିବ ବିଜେପି। ସେହିପରି ଅନୁପ୍ରବେଶ, ଭ୍ରଷ୍ଟାଚାର, ନାରୀ ସୁରକ୍ଷା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶାହ କହିଛନ୍ତି ଯେ, ବେଙ୍ଗଲ ଏବେ ଗରିବ ରାଜ୍ୟ, ହେଲେ ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି ଟଙ୍କା। ମମତାଙ୍କ ସରକାରରେ ମହିଳା ଅସୁରକ୍ଷିତ, ରାତିରେ ଘରୁ ବାହାରିବା ବିପଦ। ବେଙ୍ଗଲରେ ଚାଲିଛି ମୋଗଲ ଶାସନ। ସଂସଦରେ ବନ୍ଦେ ମାତରମ୍‌ ଚର୍ଚ୍ଚାକୁ ବିରୋଧ କଲା ଟିଏମ୍‌ସି। ମମତା ବାନାର୍ଜୀ ଜବାବ ଦିଅ।

ଅମିତ ଶାହ ପୁଣି କହିଛନ୍ତି ଯେ, ପଶ୍ଚିମବଙ୍ଗ ଏବେ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦେଶର ଜିଡିପି ଯୋଗଦାନରେ ପଶ୍ଚିମବଙ୍ଗର ଅବଦାନ ୧୦.୫ ପ୍ରତିଶତ। ଦେଶର ସବୁ ଶିଳ୍ପ ପ୍ରଥମେ ବେଙ୍ଗଲରେ ଆରମ୍ଭ ହୋଇଥିଲା। ଏବେ ଯେଉଁ ଶିଳ୍ପ ସଂସ୍ଥା ଏଠାକୁ ଆସୁଛନ୍ତି ଫେରି ଯାଉଛନ୍ତି। ମମତା ସରକାର ରାଜ୍ୟରେ ଆୟୁଷ୍ମାନ ଲାଗୁ ନ କରି ଗରିବଙ୍କୁ ସ୍ୱାସ୍ଥ୍ୟସେବାରୁ ବଂଚିତ କରୁଛନ୍ତି। ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟକ୍ରମ ପାଇଁ ଆସିଲେ ମମତା ଅନୁପସ୍ଥିତ ରହୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏପରି ବ୍ୟବହାର ଅଶୋଭନୀୟ। ବିରୋଧ କରିବା ମମତାଙ୍କ ସ୍ୱଭାବ। ଏହି ବିରୋଧ ପାଇଁ କୋଲକାତାରେ ମେଟ୍ରୋ ଆଗେଇ ପାରୁନି। ଅଣବିଜେପି ଶାସିତ ରାଜ୍ୟରେ ମେଟ୍ରୋ ସମସ୍ୟା ନାହିଁ। ଶାହ ପୁଣି କହିଛନ୍ତି ଯେ, ଆଜିଠାରୁ ଏପ୍ରିଲ ମାସ ଯାଏଁ ପଶ୍ଚିମବଙ୍ଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗତ ୧୫ ବର୍ଷରେ ଟିଏମ୍‌ସି ଶାସନରେ ରାଜ୍ୟବାସୀ ଭୟ, ଭ୍ରଷ୍ଟାଚାର ସହିଛନ୍ତି। ସାଧାରଣ ଲୋକେ ଭୟରେ ଦିନ କାଟୁଛନ୍ତି। ଭ୍ରଷ୍ଟାଚାର ଯୋଗୁଁ ରାଜ୍ୟରେ ବିକାଶ ଅଟକିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଏଠାରେ ଟୋଲ୍‌ ସିଣ୍ଡିକେଟର ବଳି ଚଢି ଯାଉଛି।