କ’ଣ କରୁଛନ୍ତି ଗୁପ୍ତଚର : ପୁଲିସର ନାକତଳେ ଆତଙ୍କୀ ଆଡ୍ଡା

ନୌଶାଦ ଏକ ମୁସଲିମ ଆତଙ୍କୀ ସଂଗଠନ ସହ ଜଡ଼ିତ…

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ନାକତଳେ ରହି ଆତଙ୍କ ସଂଗଠନ ପାଇଁ କାମ କରୁଥିବା ଦୁଇଜଣ ସନ୍ଦିଗ୍ଧ ଅବଶେଷରେ ଧରା ପଡ଼ିଛନ୍ତି । ତେବେ କଥା ଉଠୁଛି, ଦେଶର ଗୁପ୍ତଚର ବିଭାଗରେ ଦକ୍ଷ ଓ ଅଭିଜ୍ଞ ଅଧିକାରୀମାନେ କାମ କରୁଥିଲା ବେଳେ ବିଦେଶୀ ଆତଙ୍କୀ ସଂଗଠନ ସହ ସଂପର୍କ ସ୍ଥାପନ କରିଥିବା ଦୁଇଜଣ ସନ୍ଦିଗ୍ଧ ଦିଲ୍ଲୀରେ ଘରଭଡ଼ା ନେଇ ମାସମାସ ଧରି ରହିବା ସହିତ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିବା ବିଷୟ କିଭଳି ଜାଣି ପାରିଲେନି ।

ଏପରିକି ଦୁଇ ସନ୍ଦିଗ୍ଧଙ୍କୁ ଧରିଥିବା ପୁଲିସ କର୍ମଚାରୀମାନେ ମଧ୍ୟ ଜାଣି ନଥିଲେ ଯେ ସେମାନେ ସାମାନ୍ୟ ଅପରାଧୀ ଭାବି ଯାହାକୁ ଗିରଫ କରିଛନ୍ତି ସେମାନେ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନର ତାଲିମପ୍ରାପ୍ତ କୁଖ୍ୟାତ ଅପରାଧି । ପୁଲିସ ସେମାନଙ୍କୁ ଜେରା କରିବା ସମୟରେ ଅସଲ କଥା ଜାଣିପାରିଛି । ଦିଲ୍ଲୀ ଭଳି ପ୍ରମୁଖ ସହରରେ ଗୁପ୍ତଚର ବିଭାଗର ନେଟ୍‌ୱାର୍କ ବିଫଳ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ୨୦୨୩ ଜାନୁଆରୀ ୧୩ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ୍‌ ଗୋଟିଏ ଘର ଉପରେ ଚଢ଼ାଉ କଲେ । ଆଖପାଖ ଲୋକ କିଛି ବୁଝିବା ବେଳକୁ ପୁଲିସ ସେହି ଘର ଭିତରକୁ ପଶିଗଲା, ଦୁଇଜଣ ସନ୍ଦିଗ୍ଧଙ୍କୁ ମାଡ଼ିବସି ସାଙ୍ଗରେ ନେଇଗଲା । ଦୁଇ ସନ୍ଦିଗ୍ଧଙ୍କ ଭିତରୁ ଜଣେ ଜଗଜିତ ସିଂହ ଓ ଅନ୍ୟଟି ନୌଶାଦ । ଜଗଜିତ ସିଂହ ବିଦେଶରେ ଆତ୍ମଗୋପନ କରିଥିବା ଖଲିସ୍ତାନୀ ଆତଙ୍କୀ ସଂଗଠନର ସକ୍ରିୟ ସଭ୍ୟ । ନୌଶାଦ ଏକ ମୁସଲିମ ଆତଙ୍କୀ ସଂଗଠନ ସହ ଜଡ଼ିତ । ଦୁହେଁ ଜାହାଙ୍ଗୀରପୁରୀରେ ଲୁଚି ରହିଥିଲେ ।

ପୁଲିସ ଉଭୟଙ୍କୁ ପାଟିଆଲା କୋର୍ଟକୁ ଚାଲାଣ କରିଥିଲା । କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ ଭଲସ୍ୱା ଡାଏରୀ ଇଲାକାର ଯେଉଁ ଘରୁ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ସେହି ଘରୁ ଦୁଇଟି ଗ୍ରେନେଡ୍‌ ସମେତ କିଛି ମାରଣାସ୍ତ୍ର ଜବତ କରିଥିଲା । ଘର ଚଟାଣରେ ରକ୍ତ ଛିଟା ଦେଖିବା ପରେ ପୁଲିସ ମନରେ ନାନା ସନ୍ଦେହଜାତ ହେଲା ।

ତହୁଁ ପୁଲିସ ଘଟଣାସ୍ଥଳକୁ ଛାନଭିନ୍‌ କରିବା ପାଇଁ ଫରେନ୍‌ସିକ୍‌ ଟିମ୍‌ ସହାୟତା ନେଇଛି । ଦୁଇ ସନ୍ଦିଗ୍ଧ କୌଣସି ଜଣେ ବ୍ୟକ୍ତିକୁ ହତ୍ୟା କରି ତା’ର ଭିଡିଓ ଚିତ୍ରକୁ ବିଦେଶୀ ଆତଙ୍କୀ ସଂଗଠନ ନିକଟକୁ ପଠାଇଛନ୍ତି । ଦୁହେଁ କୋଉ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି, ତା’ର ଟେର ଏ ଯାଏ ପୁଲିସ ଜାଣିପାରିନି । ନୌଶାଦ ଏକ ଜେଲ ଫେରନ୍ତା ପେସାଦାର ଅପରାଧୀ । ଏକ ଡବଲ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବେଶ କିଛିବର୍ଷ ଜେଲ ଜୀବନ କଟାଇବା ପରେ ସେ ମୁକୁଳିଥିଲା ।