ଅଜିତଙ୍କ ପରିବାରରେ କିଏ ପାୱାରଫୁଲ୍‌?

ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା …

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା ଅଜିତ ପାୱାର। ୨୦୧୦ ମସିହାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଶେଷଥର ପାଇଁ ସେ ୨୦୨୪ ମସିହାରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିଲେ। ଅଜିତ ପାୱାର ମହାରାଷ୍ଟ୍ରର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କର ବଳିଷ୍ଠ ପରିଚୟ ହେଉଛି ସେ ଶରଦ ପୱାରଙ୍କ ପୁତୁରା। ଅଜିତ ପାୱାରଙ୍କ ବାପା ଅନନ୍ତ ରାଓ ପ୍ରସିଦ୍ଧ ନିର୍ଦ୍ଦେଶକ ଭି. ଶାନ୍ତାରାମଙ୍କ ସହ ରାଜକମଲ ଷ୍ଟୁଡିଓରେ କାମ କରିଥିଲେ। ବାପା ଫିଲ୍ମ ଜଗତରେ କାମ କରିଥିବା ବେଳେ ରାଜନୀତି ନ କରିଥିଲେ ଅଜିତ ପୱାର ମଧ୍ୟ ଫିଲ୍ମ ଜଗତରେ କାମ କରିଥାନ୍ତେ ବୋଲି କୁହାଯାଏ।

ଫିଲ୍‌ ଦୁନିଆ ବଦଳରେ ଅଜିତ ରାଜନୀତିକୁ କ୍ୟାରିୟର କରିଥିଲେ। ତାଙ୍କ ପରିବାର ବିଷୟରେ କହିବାକୁ ଗଲେ, ପତ୍ନୀ ସୁନେତ୍ର ପୱାର ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ବାଜିରାଓ ପାଟିଲଙ୍କ ଭଉଣୀ। ବଡ଼ ପୁଅ ନାମ ପାର୍ଥ ପୱାର ଏବଂ ସାନ ପୁଅ ଜୟ ପୱାର। ବଡ଼ ପୁଅ ଗତ ଲୋକସଭା ନିର୍ବାଚନରେ ଲଢ଼ିଥିଲେ, ହାରି ଯାଇଥିଲେ। ଅଜିତ ପାୱାରଙ୍କ ବଡ଼ ଭାଇ ଶ୍ରୀନିବାସ ପୱାର ଜଣେ ବିଶିଷ୍ଟ ବ୍ୟବସାୟୀ। କୁହାଯାଏ ଶ୍ରୀନିବାସ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାମ ସାନଭାଇ ଅଜିତଙ୍କୁ ପଚାରି କରନ୍ତି। ତାଙ୍କ ଭଉଣୀ ବିଜୟା ପାଟିଲ ଗଣମାଧ୍ୟମରେ କାମ କରନ୍ତି। ଶରଦ ପୱାରଙ୍କ ଝିଅ ସୁପ୍ରିୟା ସୁଲେ ହେଉଛନ୍ତି ଅଜିତ ପାୱାରଙ୍କ ଭଉଣୀ ଯିଏକି ଏବେ ସାଂସଦ ଅଛନ୍ତି ।