କିଏ ହେବ ଭାରତୀୟ ଟେଷ୍ଟ ଟିମର ଅଧିନାୟକ!

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ । ଏହା ପରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ଟି-୨୦ ସିରିଜ୍‌ ଲାଗି ରୋହିତ୍‌ ଶର୍ମାଙ୍କୁ ଅଧିନାୟକ ଘୋଷଣା କରାଯାଇଛି । କିନ୍ତୁ ଟେଷ୍ଟ ଟିମର ଅଧିନାୟକ ଏବେସୁଦ୍ଧା ଘୋଷଣା କରାଯାଇନାହିଁ । ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ସହ ପ୍ରଥମ ଟେଷ୍ଟରୁ ବିରାଟ୍‌ କୋହଲି ବିଶ୍ରାମ ନେବେ ଓ ତାଙ୍କ ସ୍ଥାନରେ ରୋହିତଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍‌ କରାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଏବେ ଖବର ମିଳିଛି ଯେ ରୋହିତ୍‌ ମଧ୍ୟ ବିଶ୍ରାମ ଚାହୁଁଛନ୍ତି । ଏଭଳି ସ୍ଥିତିରେ ଟେଷ୍ଟ ଟିମର ଅଧିନାୟକ କିଏ ହେବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିରାଟ୍‌ ଓ ରୋହିତଙ୍କୁ ଯଦି ବିଶ୍ରାମ ମିଳେ ତାହେଲେ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍‌ କରାଯିବ । ଗଣମାଧ୍ୟମ ସୂଚନା ମୁତାବକ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ରୋହିତ୍‌ ଶର୍ମା ବିଶ୍ରାମ ମାଗିଛନ୍ତି । କୋହଲି ମଧ୍ୟ ପ୍ରଥମ ଟେଷ୍ଟ ଖେଳିବେ ନାହିଁ । ଏ ସ୍ଥିତିରେ ଅଧିନାୟକଙ୍କୁ ନେଇ ଚିନ୍ତାରେ ଟିମ ମ୍ୟାନେଜମେଣ୍ଟ । କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଟେଷ୍ଟ ଟିମର ନେତୃତ୍ୱ ନିଅନ୍ତି । କିନ୍ତୁ ଏବେ ଚୟନକର୍ତ୍ତା ରାହାଣେଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍‌ କ୍ୟାପଟେନ୍‌ କରିବା ନେଇ ଚର୍ଚ୍ଚା ଚାଲିଛି । ତେଣୁ କୋହଲିଙ୍କ ଅନୁପସ୍ଥିତିରେ ରୋହିତ୍‌ ଟିମର କ୍ୟାପଟେନ୍‌ ହେବେ ବୋଲି କୁହାଯାଉଛି ।