୪୫ ଦିନ ଭିତରେ ଛାଡ଼ିଗଲା ପ୍ରଧାନମନ୍ତ୍ରୀ ନିଶା

ନୂତନ ଅର୍ଥନୀତିର ମୂଳଦୁଆକୁ ଦୃଢ଼ କରିବାର ସଂକଳ୍ପ ନେଇଥିଲୁ……

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଗୁରୁ ବ୍ରିଟେନ୍‌ ନିଜ ପାଇଁ ଭଲ ନେତାଟିଏ ବାଛି ପାରୁନି । ବହୁ କଷ୍ଟେମଷ୍ଟେ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଲୋକଙ୍କର ବହୁ ଆଶା ପୂରଣ କରିବାର ଅଭିଳାଷ ପୋଷଣ କରି କ୍ଷମତାକୁ ଯାଇଥିଲେ । କିନ୍ତୁ ୪୫ ଦିନ ଭିତରେ ତାଙ୍କ ମୁଣ୍ଡରୁ ପ୍ରଧାନମନ୍ତ୍ରୀ ନିଶା ଛାଡ଼ିଯାଇଛି । ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଲିଜ ଟ୍ରସ ୪୫ ଦିନର ତିକ୍ତ ଅନୁଭୂତି ବଖାଣିଥିଲେ ।

ସେ କହିଥିଲେ, ଯୋଉ ପ୍ରତିଶ୍ରୁତି ବଳରେ କ୍ଷମତାକୁ ଗଲି । ସେଗୁଡ଼ିକୁ ପୂରଣ କରିବା ସାଧ୍ୟାତୀତ ଅନୁଭବ କଲି । ତେଣୁ ଅଧିକ ଦିନ କ୍ଷମତାରେ ରହି ଲୋକଙ୍କ ତୁଣ୍ଡରେ କ୍ଷମତାଲୋଭୀ ଶୁଣିବା ଅପେକ୍ଷା ଇସ୍ତଫା ଦେଇ ଚାଲିଯିବା ଉପଯୁକ୍ତ ମନେକଲି । ମୋ ପ୍ରତି ଗଭୀର ଆସ୍ଥା ପ୍ରକଟ କରିଥିବା ଲୋକଙ୍କ ଆଗରେ ବ୍ରିଟେନ ଦୂରବସ୍ଥା ସମ୍ପର୍କରେ ଜଣାଇବା ଉଚିତ ବୋଲି ଅନୁଭବ କରୁଛି । ସତ କହିଲେ ବ୍ରିଟେନର ଆର୍ଥିକ ସ୍ଥିତି ଏବେ ଆଦୌ ଭଲ ନାହିଁ । ପାଣ୍ଠି ଅଭାବ କାରଣରୁ ଶାସନ ପରିଚାଳନା କରିବା କଷ୍ଟକର ।

ଟ୍ରସ୍‌ ଗମ୍ଭୀରତାର ସହ କହିଛନ୍ତି, ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲି । ସେତେବେଳେ ଦେଶରେ ଆର୍ଥିକ ସ୍ଥିରତା ନଥିଲା । ପରିବାର ମୁଣ୍ଡରେ ବିଲ ପଇଠ କରିବାର ଚିନ୍ତା ଘାରୁଥିଲା । ଆମେ ଟିକସ କମାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ । ନୂତନ ଅର୍ଥନୀତିର ମୂଳଦୁଆକୁ ଦୃଢ଼ କରିବାର ସଂକଳ୍ପ ନେଇଥିଲୁ । କିନ୍ତୁ ସେଗୁଡ଼ିକ ଅକ୍ଷରେ ଅକ୍ଷରେ ପାଳନ କରିବା ସମ୍ଭବ ହେଲାନି । ଇସ୍ତଫା ଦେବା ଛଡ଼ା ମୋ ନିକଟରେ ବିକଳ୍ପ କିଛି ନଥିଲା ।

ଟ୍ରସ୍‌ ନିଜ ଦଳର ସଭ୍ୟଙ୍କ ମନକୁ ଜିତି ପାରିଲେନି । କଞ୍ଜରଭେଟିଭ୍‌ ପାର୍ଟିର ୫୩୦ ସଭ୍ୟଙ୍କ ଭିତରୁ ୫୫ ପ୍ରତିଶତ ତାଙ୍କଠାରୁ ଇସ୍ତଫା ଆଶା କରୁଥିଲେ । ସେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ନିମ୍ନ ସଦନର ଅଧିକାଂଶ ସଭ୍ୟ ବାରମ୍ବାର ତାଙ୍କର ଇସ୍ତଫା ଦାବି କରୁଥିଲେ ।