‘ମିଡିଆ ଲୋକଙ୍କୁ ଗୋଡେ଼ଇ ଗୋଡେ଼ଇ ହାଣ’

ଯଦି ଟଙ୍କା ଧରିବାକୁ ରାଜି ନହେଲା….

ଭୁବନେଶ୍ୱର: ‘ମିଡିଆରେ କାମ କରୁଥିବା ଲୋକଙ୍କୁ ରାସ୍ତାଘାଟରେ ଆଖିବୁଜି ପିଟ । ଯାହା ବେକରେ ମିଡିଆର ପରିଚୟ ପତ୍ର ଦେଖିବ; ଗୁଣ୍ଡା ଲଗାଇ ସେମାନଙ୍କୁ ଏମିତି ମାଡ଼ ମାର ଯେପରି ନିର୍ବାଚନ ସରିବା ପର୍ଯ୍ୟନ୍ତ ରାସ୍ତାରେ ଚାଲବୁଲ କରିପାରିବେନି । ଏମିତି ପିଟ ଯେପରି ହାତରେ ବୁମ୍‌ ଧରି ଲୋକଙ୍କ ନିକଟକୁ ଯିବାର ସାହସ ନଥିବ । ହାତରେ କଲମ ଧରିବା ମାତ୍ରେ ସେମାନଙ୍କ ଆଖିରେ ଆମ ଖଣ୍ଡା ନଜର ଆସିବା ଦରକାର ।

ତା’ ନହେଲେ ସେମାନେ ଆମ ରାସ୍ତାରେ ବିରାଟ ପାହାଡ଼ ହୋଇ ଠିଆହେବେ । ଆମର ସବୁ ଯୋଜନାକୁ ଭଣ୍ଡୁର କରିବେ । ଡରିବାର ନାହିଁ, ଆମ ହାତରେ ପୁଲିସ ଅଛି । ମିଡ଼ିଆକୁ ପୁଲିସ କୋଉ ଦୃଷ୍ଟିରେ ଦେଖୁଛି; ତମେମାନେ ଭଲକରି ଜାଣିଛ । ଆମ ନେତା କେବେ କୌଣସି ରିପୋର୍ଟରଙ୍କ ସହ କଥା ହୁଅନ୍ତି ନାହିଁ । କ’ଣ ପାଇଁ ଜାଣିଛ? ଆମ ନେତା କହନ୍ତି, ରିପୋର୍ଟରଙ୍କୁ କୁକୁର ମଣି ସେମାନଙ୍କ ଆଗରେ ଖଣ୍ଡେ ରୁଟି କି ମାଂସ ଟୁକୁଡ଼ା ପକାଉଥିବ । ଯୋଉଦିନ କୁକୁର କାମୁଡ଼ିବାକୁ ଗୋଡେ଼ଇବ; ଆଉ ଅପେକ୍ଷା ନକରି ଗୁଳି କରିଦେବ ।

ତେଣୁ ତମମାନଙ୍କୁ ଆଉ ବେଶି ବୁଝାଇବା ଦରକାର ନାହିଁ । ରିପୋର୍ଟରଙ୍କ ଅଭିଯୋଗକୁ ପୁଲିସ ସେତେ ଗୁରୁତ୍ୱ ଦେଉନାହାନ୍ତି । ଆମ ନେତାଙ୍କ ପୋଷା ରିପୋର୍ଟର ଗୋଷ୍ଠୀ ଦଳ ବିରୋଧରେ କଲମ ଚଲାଇବେନି । ଯୋଉ ରିପୋର୍ଟର ଦଳ ବିରୋଧରେ କଲମ ଚଲାଉଥିବ; ଜାଣିବ ସେ ଆମ ନେତାଙ୍କ କୁକୁର ନୁହେଁ । ତେଣୁ ଆଗପଛ ବିଚାର ନକରି ତା’ର ହାତଗୋଡ଼ ଭାଙ୍ଗିଦିଅ । ଆମ ନେତା ବାରମ୍ବାର କହିଛନ୍ତି କୋଉ ରିପୋର୍ଟରକୁ ହଠାତ୍‌ ଖଣ୍ଡାଚୋଟ ପକାଇବ ନାହିଁ ।

ପ୍ରଥମେ ମାଡ଼ ମାରି ହାତଗୋଡ଼ ଭାଙ୍ଗିଦେବ । ସେତିକିରେ ଯଦି ରିପୋର୍ଟର ବାଟକୁ ନଆସିଲା; ତେବେ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ ଚେଷ୍ଟା କର । ଯଦି ଟଙ୍କା ଧରିବାକୁ ରାଜି ନହେଲା; ମିଛ କେସରେ ଫସାଇ ଜେଲକୁ ପଠାଇଦିଅ । ଥରେ ଜେଲ ଛାପ ଲାଗିଯିବା ପରେ ଲୋକମାନେ ଆଉ ସେ ରିପୋର୍ଟର କଥାକୁ ବିଶ୍ୱାସ କରିବେ ନାହିଁ । ତା’ପରେ ଆମ ବାଟରେ ଆଉ କଂଟା ବୋଲି କିଛି ରହିବନି । ମନେରଖ ପାଣି ନାକ ଉପରକୁ ଟପିଲେ, ମିଡିଆ ବାଲାଙ୍କୁ ଗୋଡେ଼ଇ ଗୋଡେ଼ଇ ଏମିତି ହାଣିବ ଯେମିତି ପୁଲିସ ପହଂଚିବା ପୂର୍ବରୁ ଜୀବନ ଚାଲି ଯାଇଥିବ ।’

ଆଗକୁ ଲୋକସଭା ବିଧାନସଭା ନିର୍ବାଚନ ଅଛି । ତମମାନେ ଏତିକିବେଳୁ କାମ ଆରମ୍ଭ କରିଦିଅ । ସାର କହିଛନ୍ତି; ଯାହା ଦରକାର ଲୋକାଲ ନେତାଙ୍କଠାରୁ ନେବ । ଆମ ସାର ସବୁ ଲୋକାଲ ନେତାଙ୍କୁ ତାଗିଦ୍‌ କରିଛନ୍ତି । ତମମାନଙ୍କର କିଛି ଅସୁବିଧା ହେବନି । ଦରକାର ପଡ଼ିଲେ, ପୁଲିସ ତମମାନଙ୍କ ପାଇଁ ରାସ୍ତା ତିଆରି କରିଦେବ । ସାରଙ୍କ ହାତରେ ପୁଲିସ ବିଭାଗ ରହିଛି । କିଛି ଡରିବାର ନାହିଁ ।’ମଙ୍ଗଳବାର ରାତି ୧୧ଟାରେ କୁଆଖାଇ ପଠାରେ ଏମିତି ଆଲୋଚନା ଚାଲିଥିଲା ।

କୁଆଖାଇ ନଦୀବନ୍ଧ ରାସ୍ତାରେ ଜୟଦେବ କଲେଜ ଆଡ଼କୁ ଗଲାବେଳେ ଏକ ନିକାଂଚନ ସ୍ଥାନରେ ରୁଣ୍ଡ ହୋଇଥିଲେ ପ୍ରାୟ ୩୦/୪୦ ଜଣ ଲୋକ । ସେମାନଙ୍କ ଭିତରୁ ଅଧିକାଂଶ ନିଶାଗ୍ରସ୍ତ ଥିଲେ । ସେମାନେ ଆଲୋଚନା କରୁଥିବା ସ୍ଥାନରେ ପ୍ରାୟ ୧୫/୨୦ଟି ବାଇକ ରଖାଯାଇଥିଲା । ମୁଖିଆଙ୍କ କଥା ଶୁଣି ମଝିରେ ମଝିରେ କିଛି ଲୋକ ଟିପ୍ପଣୀ ଦେଉଥିଲେ, ଭାଇ ଆପଣ ଚିନ୍ତା କରନ୍ତୁ ନାହିଁ । ଆମ ଉପରେ ଭରସା ରଖନ୍ତୁ । ସାର ପୁଲିସକୁ ମେନେଜ କରନ୍ତୁ ।

ଆମେ ତାଙ୍କ କାମ କରିବୁ । ଆଉ ଅଧିକ କ୍ଷଣ ସେଠାରେ ଲୁଚି ରହି ସେମାନଙ୍କ କଥା ଶୁଣିବା ବିପଦ ଭାବି ପଳାଇଗଲି । ବାଟରେ ଯାଉଯାଉ ଗୋଟିଏ କଥା ଭାବୁଥିଲି । ମୁଖିଆ ଜଣକ କହୁଥିଲେ, ସାରଙ୍କ ହାତରେ ପୁଲିସ ବିଭାଗ ଅଛି । ମୁଖିଆ ଯାହାଙ୍କୁ ସାର ବୋଲି ସମ୍ବେଧନ କରୁଥିଲେ; ସେ ବିଜେଡିର ମୁଖିଆ ନୁହନ୍ତି ତ? ଯୋଉମାନେ ସେଠାରେ ଆଲୋଚନା କରୁଥିଲେ ସେମାନେ ଶଙ୍ଖ ମାର୍କା ଷଣ୍ଢପଲ ନୁହନ୍ତି ତ?

This content fast appear in https://shaksinews.com/  and https://www.facebook.com/NewsShaksi  and https://www.facebook.com/ShaksiNewsOdisha.399488