ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କର ଶିକ୍ଷା ପ୍ରତି ଆଗ୍ରହ ତାଙ୍କୁ ବିଶ୍ୱ ରେକର୍ଡ ଅଧିକାରୀ କରିଛି । ରାଜସ୍ଥାନର କଥାରେ ଅଛି, ‘ନିଜେ ବଦଳି ଯାଆନ୍ତୁ, ଦୁନିଆ ଆପେ ବଦଳିଯିବ’ । ଏକ ନୂଆ ଦୁନିଆର ଚେହେରା ଦେଖିବା ନିଶାରେ ଉଦୟପୁର ନିବାସୀ ଡକ୍ଟର ଅରବିନ୍ଦର ସିଂହ ନିଜେ ବଦଳି ଯାଇଛନ୍ତି । ପରିଣାମ ସ୍ୱରୂପ ସେ ଆଜି ‘ୱାର୍ଲଡ ବୁକ୍ ଅଫ୍ ରେକର୍ଡସ’ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେ ପ୍ରଥମେ ମେଡିକାଲ ସାଇନ୍ସରେ ପୋଷ୍ଟ ଗ୍ରାଜୁଏଟ୍ । ମାତ୍ର ପରେପରେ ବିଭିନ୍ନ କ୍ଷେତ୍ରରେ ଅଧ୍ୟାପନା କରି ବିଜ୍ଞତାର ପରିଚୟ ଦେଇଛନ୍ତି । ସେ ହାସଲ କରିଥିବା ଡିଗ୍ରୀ ଓ ଡିପ୍ଲୋମା ଭିତରେ ମ୍ୟାନେଜମେଂଟ, ଆଇନ, ଗବେଷଣା, କସ୍ମେଟୋଲୋଜି ଅଛି । ଜର୍ମାନୀ ଓ ନ୍ୟୁୟର୍କ ସ୍ଥିତ ଇନ୍ଷ୍ଟିଚ୍ୟୁଟରୁ କସ୍ମେଟିକ୍ ଗାଇନୋକୋଲୋଜି ସାର୍ଟିଫିକେଟ୍ ଲାଭ କରିଛନ୍ତି ।
ଡକ୍ଟର ସିଂହ କସ୍ମେଟିକ୍ ଡର୍ମେଟୋଲୋଜି ଆଣ୍ଡ୍ ପାଥୋଲୋଜି କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ‘ଅର୍ଥ ଗ୍ରୁପ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଛନ୍ତି । ତାଙ୍କ ପାଖରେ ପ୍ରାୟ ୧୨୩ଟି ଡିଗ୍ରୀ ଓ ଡିପ୍ଲୋମା ସାର୍ଟିଫିକେଟ୍ ରହିଛି । ଏହି ବିରଳ କୃତିତ୍ୱ ପାଇଁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ।
୨୦୦୯ରେ ଡକ୍ଟର ସିଂହ ଇନ୍ଦୋରସ୍ଥିତ ଆଇଆଇଏମ୍ର ଟପ୍ ଛାତ୍ର । ୨୦୦୮ରେ ଆଇଆଇଏମ୍ କ୍ୟାମ୍ପସ୍ରୁ ବାର୍ଷିକ ୯୦ ଲକ୍ଷ ଟଙ୍କାର ଚାକିରି ଅଫର୍ ପାଇଥିଲେ । ଦେଶରେ ରହି କାମ କରିବାର ଆଗ୍ରହ କାରଣରୁ ସେ ଉକ୍ତ ଅଫରକୁ ଏଡ଼ାଇଦେଲେ । ବିଦେଶ ଅପେକ୍ଷା ଦେଶରେ ତାଙ୍କର ଅଧିକ ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କଲେ । କସ୍ମେଟିକ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସମସ୍ତଙ୍କ ନିକଟରେ ସ୍ମରଣୀୟ ହୋଇରହିବେ ।