ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ସ୍ୱତନ୍ତ୍ର ବଜେଟ୍ ଅଧିବେଶନ ୨୦୨୬-୨୭ ପାଇଁ ଆଜି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବଜେଟ୍ ଅଧିବେଶନରେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାଜକିଶୋର ଦାସ ବଜେଟ୍ ଉପସ୍ଥାପନ କରିଥିଲେ ।
୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଶ୍ରୀ ଦାସ ୧୦୫୦ କୋଟି ଟଙ୍କାର ବଜେଟ୍୍ ଉପସ୍ଥାପନ କରିଛନ୍ତି । ବଜେଟର ରୂପରେଖ ସହ କେଉଁ କେଉଁ କ୍ଷେତ୍ରରେ କେତେ ଅର୍ଥବ୍ୟୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାର ବିସୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ବିଏମ୍ସି ମୁଖ୍ୟତଃ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ନିର୍ଭର କରେ । ପୂର୍ବରୁ ଏଥିପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର କୌଣସି ସର୍ତ ନଥିଲା । ମାତ୍ର ଏବେ ସରାକର ଅନୁଦାନ ପାଇଁ ବାର୍ଷିକ ଶତକଡା ୧୨.୬୫ ପ୍ରତିଶତ ଆୟ ବୃଦ୍ଧି ପାଇଁ ସର୍ତ ରଖିଛନ୍ତି । ତେଣୁ ବିଏମ୍ସିକୁ ସରକାରୀ ଅନୁଦାନ ପାଇଁ ଚଳିତ ଆର୍ଥିକ ବର୍ଷ ଆମକୁ ନିଜସ୍ୱ ଆୟ ବୃଦ୍ଧି କରିବାକୁ ପଡିବ ବୋଲି ବଜେଟ୍ ଉପସ୍ଥାପନ ଅଭିଭାଷଣରେ ଶ୍ରୀ ଦାସ କହିଥିଲେ ।
ଭୁବନେଶ୍ୱରକୁ ସୁସ୍ଥ, ସମୃଦ୍ଧ, ସ୍ୱଚ୍ଛ, ସବୁଜ, ସୁନ୍ଦର ଏବଂ ପରିବେଶ ଅନୁକୂଳ ସହିତ ସୁଦୃଢ ଭିତିଭୂମି ପ୍ରତିଷ୍ଠା କରିବାରେ ଏହି ବଜେଟ୍ ବେଶ୍ ସହାୟ ହେବ । ଏହା ଏକ ଲୋକାଭିମୁଖି, ସୁସ୍ଥ, ସମୃଦ୍ଧ ବୃହତ୍ ଏବଂ ସମସ୍ତଙ୍କୁ ସୁହାଇବା ଭଳି ବଜେଟ୍ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ । ଏହି ବଜେଟ ୨୦୨୬-୨୭ ଆର୍ଥିକ ବର୍ଷରେ ବିଏମ୍ସିର ନିଜସ୍ୱ ଆୟ ୩୦୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସରକାରୀ ଅନୁଦାନରୁ ୭୫୦କୋଟି ଟଙ୍କା ମିଳିବାର ଆକଳନ କରାଯାଇଛି । ଏହା ଦ୍ୱାରା ରାସ୍ତାଘାଟ, ଡ୍ରେନ୍, ସୌନ୍ଦର୍ଯ୍ୟକରଣ, ବର୍ଜ୍ୟ ପରିଚାଳନା ଆଦି ସୁଗମ ହୋଇପାରିବ ବୋଲି ସେ କହିଛନ୍ତି ।
ରକ୍ଷଣାବେକ୍ଷଣ, ସଫେଇ କାର୍ଯ୍ୟ ଓ ଅନ୍ୟାନ୍ୟ ନାଗରିକ ସେବାପାଇଁ ଏହି ବଜେଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ଭିତିଭୂମି ବିକାଶ, ପାର୍କ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ମଧ୍ୟ ବଜେଟରେ ଆର୍ଥିକ ବ୍ୟବସ୍ଥା ରହିଅଛି । କେବଳ ସେତିକି ନୁହେଁ ଡିଜିଟାଲ ସେବାର ସଂପ୍ରସାରଣ, ସଫେଇ ବ୍ୟବସ୍ଥାର ସୁଦୃଢିକରଣ, ପରିବେଶ ସୁରକ୍ଷା ଓ ସମସ୍ତ ବର୍ଗଙ୍କ ପାଇଁ ଉତମ ଧରଣର ବାସୋପଯୋଗୀ ପରିବେଶ ପ୍ରଦାନ କରିବା ପାଇଁ ଏହି ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ଏହି ବଜେଟ୍ ସହରର ସ୍ଥାୟୀ ଉନ୍ନତି, ସୁସ୍ଥ ଅର୍ଥନୀତି ଓ ନାଗରିକଙ୍କ ଜୀବନ ଧାରଣମାନ ଉନ୍ନତି କରିବା ପାଇଁ ଏକ ଯୁଗାନ୍ତକାରୀ ମାଇଲଖୁଂଟ ପ୍ରତିଷ୍ଠା କରିବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ସମସ୍ତ ସଦସ୍ୟ ସଦସ୍ୟା ଆଶାବ୍ୟକ୍ତ କରିଛନ୍ତି ଏବଂ ସମସ୍ତେ ଏହି ବଜେଟକୁ ସ୍ୱାଗତ ଜଣାଇଛନ୍ତି ।