ଚିତ୍ରକୋଣ୍ଡାରେ ୧୦୮ ନୌକା ଆମ୍ବୁଲାନ୍ସ ସେବା ଆରମ୍ଭ-shaksi news

ଚିତ୍ରକୋଣ୍ଡା( ଏସ୍ ନ୍ୟୁଜ ): ଉତ୍ତମ ସ୍ୱାସ୍ଥ୍ୟ ସେବାକୁ ନେଇ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଦୁଇଟି ୱାଟର ବୋଟ ଆମ୍ବୁଲାନ୍ସ ଉଦଘାଟନ କରାଯାଇଛି । ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଛିନ୍ନାଞ୍ଚଳବାସୀ । ଦୀର୍ଘବର୍ଷ ଧରି ଲାଗି ରହିଥିବା ସ୍ୱାସ୍ଥ୍ୟ ସେବାର ସମସ୍ୟା ଦୂର କରିବାକୁ ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇଲେ ରାଜ୍ୟ ସରକାର । ୧୦୮ବୋଟ ଆମ୍ବୁଲାନ୍ସ ସେବାକୁ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲାପାଳ ଡଃ. ୟେଦୁଲ୍ଲା ବିଜୟ ।

ଏହି ବୋଟ ଆମ୍ବୁଲାନ୍ସ ଦ୍ୱରା ଜଳ ଘେରରେ ରହିଯାଇଥିବା ବିଛିନ୍ନାଞ୍ଚଳର ୩ ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବସବାସ କରୁଥିବା ହଜାର ହଜାର ଆଦିବାସୀଙ୍କୁ ପ୍ରଥମ କରି ସରକାର ଯୋଗାଇଛନ୍ତି ୧୦୮ ୱାଟର ଆମ୍ବୁଲାନ୍ସ । ପ୍ରତିଦିନ ଏହି ଉନ୍ନତମାନର ୧୦୮ ୱାଟର ଆମ୍ବୁଲାନ୍ସଟି ଚିତ୍ରକୋଣ୍ଡା ସ୍ପିଲୱେ ଲଞ୍ଚ ଘାଟରୁ ବାହାରି ବିଛିନ୍ନାଞ୍ଚଳର ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ପଞ୍ଚାୟତର ସମସ୍ତ ଗ୍ରାମକୁ ଯିବାସହ ସେଠାରେ ଥିବା ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଅନ୍ୟାନ ରୋଗୀଙ୍କୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅନ୍ୟ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆବଶ୍ୟକ ହେଲେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ ।

ଏଠାରେ ପ୍ରକାଶଥାଉକି, ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସେବା ପ୍ରଦାନ କରାଯାଇଛି । ରାଜ୍ୟର କେନ୍ଦ୍ରାପଡା, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲାରେ ଏହି ୧୦୮ ଆମ୍ବୁଲେନସ ସେବା ଗୋଟିଏ ଲେଖାଏଁ ଯୋଗାଇ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦୁଇଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ଯାହାକୁ ଜିଲ୍ଲାର ବିଚ୍ଛିନ୍ନବାସୀ ସ୍ବାଗତ କରିଥିବା ବେଳେ ବେଶ ଖୁସି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁପ୍ରିୟା ସେତୁ ହେବା ପରେ ହାତ ଗଣତି କିଛି ଗ୍ରାମକୁ ହିଁ ଯୋଗାଯୋଗ ହୋଇପାରୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ରହିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଆଜି ବି ପ୍ରଶାସନ ପହଞ୍ଚିପାରି ନାହିଁ । ଏହି ସେବା ଫଳରେ ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିବ । ଅରାପଦର ଠାରେ ଗୋଟିଏ ଆମ୍ବୁଲାନ୍ସ ଏବଂ କୁନ୍ତରପଦର ଠାରେ ଆଉ ଗୋଟିଏ ଆମ୍ବୁଲାନ୍ସ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଯାହାଫଳରେ ପ୍ରାୟ ୪୦ଟି ଗ୍ରାମର ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରିବେ । ଦୁଇଟି ଆମ୍ବୁଲାନ୍ସରେ ୩୭ଟି ଭାସମାନ ଜେଟିର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ଅନବରତ ସେବା ଯୋଗାଇବା ପାଇଁ ତତ୍ପର ରହିବ ବୋଲି କୁହାଯାଇଛି ।