ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ

ବଡ଼ଦିନ ଓ ନୂଆବର୍ଷ ପାଳନ ପାଇଁ ରାଜଧାନୀରେ …..

ବଡ଼ଦିନ ଓ ନୂଆବର୍ଷ ପାଳନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍‍ ପୁଲିସ । ଜିରୋ ନାଇଟ୍‍ ସେଲିବ୍ରେସନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ କମିଶନରେଟ୍‍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ କଡ଼ା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି। ଏନେଇ ପ୍ରେସ୍‍ମିଟ୍‍ରେ ସୂଚନା ଦେଲେ ପୁଲିସ କମିଶନର ଡକ୍ଟର ଏସ୍‍ ଦେବଦତ୍ତ ସିଂ।

ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଧିକ ୧୫ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯିବ। ବିଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ସହରର ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ। ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚଲେଇବାକୁ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ସେଲିବ୍ରେସନ ସମୟରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍‍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହାଇ ଏଫିସିଏନ୍ସି ରେସପନ୍ସ (ଏଚଇଆର) ଟିମ୍‍ ମୁତୟନ ରହିବେ। ଏହାସହ ସାଦା ପୋଷାକରେ ପୁଲିସ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ କଡା ପହରା ମାରିବେ ଯାହାଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍‍ ଲଗାଯାଇପାରିବ। ସମଗ୍ର ସହର ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ତୀକ୍ଷଣ ନଜର ରଖାଯିବ। ବିଭିନ୍ନ ହୋଟେଲ ଏବଂ କିଛି ଖୋଲା ସ୍ଥାନରେ ଜିରୋ ନାଇଟ୍‍ ସେଲିବ୍ରେସନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏଥିପାଇଁ ଅଗ୍ନିଶମ ବିଭାଗର ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ଭିତରେ ଜିରୋ ନାଇଟ୍‍ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ ରହିଛି।ବାର୍‍ ଓ ପବ୍‍ ଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଥରେ ପୋଲିସ ମୁତୟନ ରହିବେ। ବାର୍‍ ଓ ପବ୍‍ ଖୋଲିବା ନେଇ ସମୟ ସୀମା ନିର୍ଦ୍ଧାରଣ କରିବା ପାଇଁ ଅବକାରୀ ବିଭାଗ ସହ ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଏନେଇ ବିସ୍ତୃତ ନିୟମାବଳୀ ଜାରି କରାଯିବ ବୋଲି ପୁଲିସ କମିଶନର ଏସ୍‍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ସେହିଭଳି ରାଜଧାନୀରେ ପ୍ରତ୍ୟେକ ଦିନ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।