ଓଡ଼ିଶାର ୧୬୦ ଜନଜାତି ଆଜିଯାଏ ଉପେକ୍ଷିତ

ପାଇନାହାନ୍ତି କେନ୍ଦ୍ର ଅନୁସୂଚୀତ ମାନ୍ୟତା..

କେନ୍ଦ୍ରକୁ ସାନି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: କେନ୍ଦ୍ର ଅନୁସୂଚୀତ ଜନଜାତି ତାଲିକାରେ ରାଜ୍ୟର ପ୍ରାୟ ୧୬୦ ଆଦିବାସୀ ଗୋଷ୍ଠୀକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଓଡ଼ିଶାରେ ବସବାସ କରୁଥିବା ଆଦିବାସୀ ସମୁଦାୟର ଭୋଟ ହାସଲ କରିବା ଲକ୍ଷ୍ୟ ରଖି ବିଜେପି ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି । ବିଜେପିର ଆଦିବାସୀ ଭୋଟ ହାସଲ ଅଭିଯାନକୁ କାଉଂଟର କରିବା ପାଇଁ ବିଜେଡି କେନ୍ଦ୍ରକୁ ଚିଠି ଲେଖି ୧୬୦ଟି ଜନଜାତିକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ପାଇଁ ଅନୁରୋଧ କରିଛି ।

ଆଦିବାସୀ ପରାମର୍ଶଦାତା ପରିଷଦ ସୁପାରିଶ କରିଥିବା ୧୬୦ ଜନଜାତି ଗୋଷ୍ଠୀକୁ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି । ୧୯୭୮ରୁ ଚିଠି ଲେଖା ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଅଦ୍ୟାବଧି ତା’ର ସୁଫଳ ମିଳିନାହିଁ । ଫଳରେ ଦୀର୍ଘଦିନ ଧରି ୧୬୦ ଜନଜାତି ସମୁଦାୟ ସେମାନଙ୍କ ନ୍ୟାୟୋଚିତ ଅଧିକାର ଉପଭୋଗରୁ ବଂଚିତ ।
ତିନିଦିନ ତଳେ କେନ୍ଦ୍ର ସରକାର ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଓ ତାମିଲନାଡୁ ସରକାରଙ୍କ ଅନୁରୋଧକୁ ରକ୍ଷା କରି କେତୋଟି ଜନଜାତି ଗୋଷ୍ଠୀକୁ ଅନୁସୂଚୀତ ତାଲିକାଭୁକ୍ତ କରିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲା, ସବ୍‌ଡିଭିଜନ୍‌, ବ୍ଲକ, ଗ୍ରାମ ପଂଚାୟତରେ ପ୍ରାୟ ୧୬୦ଟି ଜନଜାତି, ଉପ ଜନଜାତିର ଲୋକମାନେ ରହୁଛନ୍ତି । ୨୦୧୪ରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଟାସ୍କଫୋର୍ସ ରାଜ୍ୟ ସରକାରଙ୍କ ୯ଟି ପ୍ରସ୍ତାବକୁ ସୁପାରିଶ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ସୁପାରିଶଗୁଡ଼ିକ ରାଷ୍ଟ୍ରପତିଙ୍କ ଟେବୁଲରେ ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ।

୨୦୧୯ ନିର୍ବାଚନରେ ବିଜେପି ରାଜ୍ୟର ୨୧ ଲୋକସଭା ଆସନରୁ ୮ଟି ଜିତିଥିଲା ଓ ୧୪୭ଟି ବିଧାନସଭା ଆସନରୁ ୨୩ଟି ଜିତିଥିଲା ।
ରାଜ୍ୟର ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଲୋକସଭା ଆସନରେ ପ୍ରତି ୫ ଜଣ ଭୋଟରଙ୍କ ଭିତରେ ଜଣେ ଆଦିବାସୀ ଜନଜାତିର ଭୋଟର । ସେହିଭଳି ଦେବଗଡ଼ (୩୫%), ଗଜପତି (୫୪%), ଝାରସୁଗୁଡ଼ା (୩୦%), କନ୍ଧମାଳ (୫୩%), ନୂଆପଡ଼ା (୩୩%), ରାୟଗଡ଼ା (୫୬%) ଓ ସମ୍ବଲପୁର (୩୪%) ଆଦିବାସୀ ଜନଜାତି ଭୋଟର ଅଛନ୍ତି ।