୪ରୁ ଖୋଲୁଛି ନନ୍ଦନକାନନ, ଦିନକୁ ୨୫୫୦ ବୁଲିବେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଉ ୪ ଦିନ ପରେ ଅର୍ଥାତ୍ ରବିବାରଠୁ ଖୋଲିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହା ପୂର୍ବରୁ କିଭଳି କୋଭିଡ଼ କଟକଣା ସଠିକ ଢଙ୍ଗରେ ପାଳନ ହେବ, ଏନେଇ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଗାଇଡ଼‌ଲାଇନ୍ ଜାରି କରିଛନ୍ତି। ‌ଦୈନିକ ସର୍ବାଧିକ ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ ବୋଲି ଜଣାପଡ଼ିଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟକଙ୍କ ସଂଖ୍ୟାକୁ ସଙ୍କୁଚିତ କରାଯାଇ ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ। ବାକି କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଓ ହରିଣ ପାର୍କକୁ ଦୈନିକ ୩୦୦ ଲୋକ ପରିଦର୍ଶନ କରିପାରିବେ। ପ୍ରାଣୀ ଉଦ୍ୟାନ ପରିଦର୍ଶନ ଲାଗି ଇଚ୍ଛୁକ ପର୍ଯ୍ୟଟକମାନେ ଅନଲାଇନ‌ରେ ଟିକେଟ୍‌ ବୁକିଂ କରିବାକୁ ପ୍ରାଥମିକତା ଦିଆଯାଇଛି। ଏହାବାଦ ଟିକେଟ୍‌ ଘର ନିକଟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଇତ୍ୟାଦିକୁ ବାଧ୍ୟତାମୂଳକ କରାଯାଇଛି।

ମାସ୍କ ନ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବନି। ସେହିଭଳି ୭ ବର୍ଷର ଶିଶୁ ଠାରୁ ଆରମ୍ଭ କରି ସମସ୍ତେ ନାକ ଓ ପାଟି ମାସ୍କରେ ଘୋଡ଼ାଇ ଭିତରେ ପ୍ରବେଶ କରିବେ। ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ପ୍ରବେଶ ପଥରେ ସ୍କ୍ରିନିଂ କରି ଲୋକଙ୍କୁ ଭିତରକୁ ଛଡ଼ାଯିବା ବ୍ୟବସ୍ଥା ହୋଇଛି। ସେହିପରି ଉଦ୍ୟାନ ଭିତରେ ଛେପ ପକାଇବା, ପାନ ଗୁଟୁଖା ଖାଇବା, ଧୂମପାନକୁ ବାରଣ କରାଯାଇଛି।