ପୁରୀ: ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ନୁହେଁ ପୁରୀ ବାଲୁଖଣ୍ଡ ଜଙ୍ଗଲ ବା ବନ୍ୟପ୍ରାଣୀ ବନଖଣ୍ଡ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ନିରାପଦ ନୁହନ୍ତି ଜଙ୍ଗଲୀ ପ୍ରାଣୀ । ବହୁ ବନ୍ୟପ୍ରାଣୀ ଶିକାରୀଙ୍କ ହାତରେ ମରୁଛନ୍ତି । କିଛି ଦୁର୍ଘଟଣାର ଶିକାର ହେଉଛନ୍ତି । ମୃତୁ୍ୟର କାରଣ ଜାଣିପାରୁନି ବନ ବିଭାଗ । ରେକର୍ଡ ଅନୁସାରେ ବିଗତ ୪ ବର୍ଷରେ ୩୬ ମୃଗ ଓ ୬ କୃଷ୍ଣସାରଙ୍କ ଜୀବନ ଯାଇଛି । ପରିବେଶବିତ ଚିନ୍ତାପ୍ରକଟ କରିଛନ୍ତି । ଚଳିତ ବର୍ଷ ଯାଇଛି ୬ ଡଲଫିନ୍ ଜୀବନ । ୪ ବର୍ଷରେ ୩୨ ଡଲଫିନ୍ଙ୍କ ମୃତୁ୍ୟ ହୋଇଛି । ସରକାରୀ ତଥ୍ୟ କହୁଛି, ୨୦୨୧-୨୨ରେ ଗୋଟିଏ ମୃଗ ଶିକାରୀ ହାତରେ ମରିଥିଲା ବେଳେ ଗୋଟିକର ସ୍ୱାଭାବିକ ମୃତୁ୍ୟ ହୋଇଛି । ଏ ବର୍ଷ ପ୍ରାକୃତିକ କାରଣ ନିମନ୍ତେ ୩ ବାର୍ହା, ଶିକାରୀ ହାତରେ ଗୋଟିଏ ସମ୍ବର ଓ ପ୍ରାକୃତିକ କାରଣ ନିମନ୍ତେ ୨ ସମ୍ବର, ଶିକାର ଯୋଗୁଁ ୪ କୁଟୁରା ଓ ପ୍ରାକୃତିକ କାରଣ ନିମନ୍ତେ ୧ କୁଟୁରା ମରିଛନ୍ତି । ଏହି ବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ସଡକ ଦୁର୍ଘଟଣାରେ ୧ ଝିଙ୍କ, ଗୋଟିଏ ମାଛରଙ୍କା ବିଲେଇ, ପ୍ରାକୃତିକ ଭାବେ ଗୋଟିଏ କୃଷ୍ଣସାର, ରୋଗରେ ଗୋଟିଏ ତିମିର ମୃତୁ୍ୟ ହୋଇଛି ।
ଦୁର୍ଘଟଣାରେ ଗୋଟିଏ ଓ ରୋଗରେ ୧୦ ଡଲଫିନ୍ ମୃତୁ୍ୟ ହୋଇଥିବା ବେଳେ ୩ ଡଲଫିନ୍ଙ୍କ ମୃତୁ୍ୟର କାରଣ ଅସ୍ପଷ୍ଟ । ୨୦୨୧-୨୨ ବର୍ଷରେ ନାନା କାରଣରୁ ପ୍ରାୟ ୧୪ ଡଲଫିନ୍ଙ୍କ ପ୍ରାଣ ଯାଇଛି । ୨୦୨୨-୨୩ରେ ପୁରୀ ବନପ୍ରାଣୀ ବନଖଣ୍ଡରେ ଗୋଟିଏ ତିମିର ମୃତୁ୍ୟ ପ୍ରାକୃତିକ କାରଣରୁ ହୋଇଛି । ବିଦୁ୍ୟତ୍ ଆଘାତ, ରୋଗରେ ଗୋଟିଏ ଲେଖାଏଁ ମାଙ୍କଡର ମୃତୁ୍ୟ ହୋଇଥିବା ବେଳେ ଗୋଟିଏର ମୃତୁ୍ୟ କାରଣ ଅସ୍ପଷ୍ଟ ରହିଛି । ଗୋଟିଏ ବିଲୁଆର ମୃତୁ୍ୟ ରୋଗରେ, ଗୋଟିଏ ହେଟାବାଘର ମୃତୁ୍ୟ ରୋଗ ଓ ଅନ୍ୟଟିର ପ୍ରାକୃତିକ କାରଣରୁ ମୃତୁ୍ୟ ହୋଇଛି । ସଡକ ଦୁର୍ଘଟଣାରେ ଗୋଟିଏ, ଅନ୍ୟ ଦୁର୍ଘଟଣାରେ ୩, ରୋଗରେ ୪, ପ୍ରାକୃତିକ କାରଣରୁ ୩ ହରିଣ ମରିଛନ୍ତି । ଦୁଇଟି ମୃଗଙ୍କ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ଏହି ବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ କୁଟୁରା, ୬ ଡଲଫିନ୍, ୨ ମାଛରଙ୍କା ବିଲେଇ, ୧ ବିଲୁଆ, ୧ ମାଙ୍କଡ, ୨ ମୟୂର, ୩ ବାରହାଙ୍କ ମୃତୁ୍ୟ ହୋଇଥିବା ବେଳେ ଏହାର କାରଣ ଅସ୍ପଷ୍ଟ ବୋଲି ଦର୍ଶାଯାଇଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ଶିକାର, ଗୋଟିଏ ଦୁର୍ଘଟଣାରେ ଓ ଗୋଟିଏ ମୃଗର ମୃତୁ୍ୟ ରୋଗରେ ହୋଇଥିବା ବେଳେ ୮ ମୃଗଙ୍କ ମୃତୁ୍ୟ କାରଣ ଅସ୍ପଷ୍ଟ ରହିଛି । ଏହି ବର୍ଷ ମୋଟ ୧୧ ମୃଗଙ୍କ ମୃତୁ୍ୟ ରେକର୍ଡ ହୋଇଛି । ଗୋଟିଏ ମାଛରଙ୍କା ବିଲେଇର ମୃତୁ୍ୟ ରୋଗରେ ଓ ଗୋଟିଏର ମୃତୁ୍ୟ ଅସ୍ପଷ୍ଟ ରହିଛି । ବିଦୁ୍ୟତ୍ ଆଘାତରେ ଗୋଟିଏ ମାଙ୍କଡର ଓ ୩ ମାଙ୍କଡଙ୍କ ମୃତୁ୍ୟ କାରଣ ଅସ୍ପଷ୍ଟ ରହିଛି ।
ଚିଲିକାରେ ୧ କୁଟୁରା, ୬ ଡଲଫିନ୍, ୨ ମାଛରଙ୍କା ବିଲେଇ, ୧ ବିଲୁଆ, ୧ ମାଙ୍କଡ, ୩ ମୟୂରଙ୍କ ମୃତୁ୍ୟ ହୋଇଥିବା ବେଳେ ସମସ୍ତ ମୃତୁ୍ୟର କାରଣ ଅସ୍ପଷ୍ଟ ଦର୍ଶାଯାଇଛି ।
ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ୨୦୨୪-୨୫ରେ ଦୁର୍ଘଟଣାରେ ୧ ଗାଡଭାଲୁ, ୧ ମାଙ୍କଡ ମରିଛନ୍ତି । ଗୋଟିଏ କୃଷ୍ଣସାରର ମୃତୁ୍ୟ ରୋଗଜନିତ ଓ ୩ କୃଷ୍ଣସାରଙ୍କ ମୃତୁ୍ୟର କାରଣ ଅସ୍ପଷ୍ଟ ଅର୍ଥାତ୍ ଏହି ବର୍ଷ ୫ କୃଷ୍ଣସାର ମୃଗଙ୍କ ମୃତୁ୍ୟ ହୋଇଛି । ସେହିପରି ଦୁର୍ଘଟଣା ଓ ରୋଗରେ ଗୋଟିଏ ଲେଖାଏଁ ମୃଗଙ୍କ ମୃତୁ୍ୟ ହୋଇଥିବା ବେଳେ ୭ ମୃଗଙ୍କ ମୃତୁ୍ୟ ଅସ୍ପଷ୍ଟ ଦର୍ଶାଯାଇଛି । ଗୋଟିଏ ହେଟା ବାଘର ମୃତୁ୍ୟ ସଡକ ଦୁର୍ଘଟଣାରେ ଓ ଗୋଟିଏ ବିଲୁଆର ମୃତୁ୍ୟ ଅସ୍ପଷ୍ଟ ରହିଛି ।
ଏହିବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ୨ ମାଙ୍କଡ, ଗୋଟିଏ ଲେଖାଏଁ କୁଟୁରା, ମାଛରଙ୍କା ବିଲେଇ, ବଣଭୁଆଙ୍କ ମୃତୁ୍ୟ ରୋଗରେ ହୋଇଥିବା ବେଳେ ୧ କୃଷ୍ଣସାର ମୃଗର ମୃତୁ୍ୟ କରଣ ଅସ୍ପଷ୍ଟ ରହିଛି । ସେହିପରି ୬ ଡଲଫିନ୍ଙ୍କ ମୃତୁ୍ୟ ହୋଇଥିବା ବେଳେ ୨ଟି ରୋଗରେ ଓ ଚାରିଟିଙ୍କର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି ।