ସାଢେ଼ ୫ ଲକ୍ଷ ଜନତା ସିଧା କଳରୁ ପିଇବେ ପାଣି

ସହରବାସୀଙ୍କ ପ୍ରତି ନବୀନବାବୁଙ୍କ ମନରେ….

ଭୁବନେଶ୍ୱର: ସହରବାସୀଙ୍କ ପ୍ରତି ନବୀନବାବୁଙ୍କ ମନରେ ଭାରି ଦରଦ । ରାଜ୍ୟରେ ବହୁ ଅପନ୍ତରା ଇଲାକାର ଝିଅବୋହୁ ଓ ମାଆ ପାଣି ଗରାଏ ପାଇଁ ୫ କିଲୋମିଟର ବାଟ ଚାଲୁଥିବା ବେଳେ ସାଢେ଼ ୫ ଲକ୍ଷ ସହରବାସୀଙ୍କୁ ପାଣି ହିନସ୍ତାରୁ ମୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୯ଟି ସହରରୁ ସାଢେ଼ ୫ ଲକ୍ଷ ଜନତାଙ୍କୁ ଆଉ ପାଣିକଳରୁ ଗରା ଅବା ବାଲଟିରେ ପାଣି ସଂଗ୍ରହ କରି ଘରକୁ ନେବାକୁ ପଡ଼ିବନି । ଘରେ ଖାଇ ଦାଣ୍ଡକୁ ଯାଇ ସରକାରୀ ପାଣିକଳରୁ ଜୀବାଣୁମୁକ୍ତ ପାଣି ପିଅ । କି ସୁନ୍ଦର ବ୍ୟବସ୍ଥା ସତେ? ମାଆ ମାଉସୀ, ଝିଅବୋହୁଙ୍କ ପାଣିବୁହା କଷ୍ଟ ସହିପାରିଲେନି ନବୀନବାବୁ । ଖାଲି ସେତିକି ନୁହେଁ, ଆକ୍ୱାଗାର୍ଡ ବ୍ୟବହାରରୁ ମଧ୍ୟ ମାତୃଶକ୍ତିଙ୍କୁ ମୁକ୍ତ କରିଛନ୍ତି । ଦିନରାତି ଯେତେବେଳେ ପାଣି ପିଇବାକୁ ଇଛା ହେବ, ସିଧା କଳପାଖକୁ ମାଡ଼ିଚାଲ, କଳରେ ମୁହଁ ଲଗାଇ ପିଇଚାଲ ।

ଭୁବନେଶ୍ୱର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗରରେ ଚବିଶ ଘଂଟିଆ ପାଣି ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପରିଷ୍କାର ଜଳ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଗୋଟିଏ ବୁନ୍ଦା ଜଳ ନଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ବାରଣ କରିଛନ୍ତି । ୱାଟ୍‌କୋ ସଂସ୍ଥା ପକ୍ଷରୁ ଏଭଳି ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ସଂସ୍ଥାର ପରିଚାଳକଙ୍କୁ ସାଧୁବାଦ ଜଣାଇଛନ୍ତି ।