ଭୁବନେଶ୍ୱର: ଚଳିତ ବନ୍ୟାରେ ଜଣେ ପ୍ରାଣ ହରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଂଚଳ ପରିଦର୍ଶନ କରିଛନ୍ତି । ସତେ ଯେପରି ନବୀନବାବୁ ଏଭଳି ଏକ ପରିସ୍ଥିତି ଅପେକ୍ଷାରେ ଥିଲେ । ବନ୍ୟା ସମୀକ୍ଷା ବୈଠକରେ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗରେ ଉପସ୍ଥାପନ କରିଥିବା ପ୍ରସଙ୍ଗର ସାରାଂଶ ହେଉଛି, ‘ଓଡ଼ିଶାରେ ବନ୍ୟା ନୂଆ କଥା ନୁହେଁ । ପ୍ରତି ମୌସୁମୀରେ ବନ୍ୟା ହୁଏ; ଲୋକମାନଙ୍କ ଧନଜୀବନ ହାନି ଘଟେ । ନଦୀନାଳ ନିକଟରେ ରହି ଦୁଃଖଦୁର୍ଦ୍ଦଶା ଭୋଗିବା ଓଡ଼ିଶାବାସୀଙ୍କ ଦେହସୁହା । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ସବୁ ଠିକ୍ କରିଦେବୁ । ଲୋକଙ୍କୁ ସୁରକ୍ଷିିତ ସ୍ଥାନକୁ ନେବୁ । ବିପନ୍ନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ସଜାଗ କରିଛୁ । ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣର ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକ ପରିମାଣର ଔଷଧପତ୍ର ରଖାଯାଇଛି । ବନ୍ୟା ନିୟନ୍ତ୍ରଣ ବାହାରକୁ ଗଲେ, ଆକାଶରୁ ଶୁଖିଲା ଖାଦ୍ୟ, ପୋଷାକପତ୍ର ଓ ଔଷଧପତ୍ର ପକାଯିବ । ଆପଣ ଟେନ୍ସନ୍ ନିଅନ୍ତୁ ନାହିଁ । ଆରାମରେ ନବୀନ ନିବାସରେ ଖାଇପିଇ ମଉଜ କରନ୍ତୁ ।’ ସବୁ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନବୀନବାବୁ କହିଲେ, ଭୋଟରଙ୍କ ବଳରେ ମୁଁ ବଳୀୟାନ୍, ପ୍ରତ୍ୟେକ ଭୋଟର ମୋ ପାଇଁ ମୂଲ୍ୟବାନ୍ । ସେମାନଙ୍କର ସୁରକ୍ଷିତ ଜୀବନ ଯାବନ ମୋର ଏକମାତ୍ର ଉଦ୍ଦେଶ୍ୟ । ଆପଣମାନେ ଯାହା କରୁଛନ୍ତି, କରନ୍ତୁ । ମୋର ସେଥିରେ କିଛି ଯାଏଆସେ ନାହିଁ । ମୋର କେବଳ ଗୋଟିଏ ପରାମର୍ଶ, ମୋ ଭୋଟରଙ୍କୁ ସୁରକ୍ଷିତ ରଖ ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଚଳିତ ବନ୍ୟାରେ ପ୍ରାଣ ହରାଇଥିବା ପିଲାଟିର ବୟସ ମାତ୍ର ୧୬ ବର୍ଷ । ସାବାଳକ ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀ ଟିକେ ଆଶ୍ୱସ୍ତ ଅଛନ୍ତି । କାରଣ ନିଜେ ବିବାହ କରିନାହାନ୍ତି । ତେଣୁ ପିଲାଟିର ଜୀବନ ଚାଲିଗଲେ; ମୁଖ୍ୟମନ୍ତ୍ରୀଙ୍କର କିଛି କ୍ଷତି ହେବନି କାରଣ ସାବାଳକଟିଏ ମରିଥିଲେ ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ଭୋଟର କମି ଯାଇଥାନ୍ତା । ମୃତକ ଜଣକ ହେଉଛନ୍ତି ମଂଚେଶ୍ୱର ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣବସ୍ତ ନିବାସୀ ପ୍ରଶାନ୍ତ ରାଉତଙ୍କ ନାବାଳକ ପୁଅ ପ୍ରଦ୍ୟୁମ୍ନ ରାଉତ । ସାଙ୍ଗମେଳରେ ଗାଧୋଉ ଥିଲାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଡାକ୍ତରଖାନାକୁ ନେଲା ବେଳକୁ ତାଙ୍କର ଜୀବନ ଚାଲିଯାଇଥିଲା ।