ମୋଦୀ ଡରିଗଲେ, ଅଂଟା ଭିଡ଼ିଲା ‘ଆମ ଜନତା ଦଳ’

ଓଡିଶା ମଇଦାନରେ ଏଜେଡି-ବିଜେଡି ଲଢେ଼ଇ

ଭୁବନେଶ୍ୱର: ରାଜ୍ୟ ପଛୁଆ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ବହୁତ କିଛି ଆଶା କରିଥିଲେ । ମୋଦୀଙ୍କ ‘ପୂର୍ବୋଦୟରୁ ଭାରତର ଉଦୟ’ ଆହ୍ୱାନକୁ ଖୋଲା ସମର୍ଥନ କରୁଥିଲେ । ମାତ୍ର ସଂସଦୀୟ ବୋର୍ଡ ଓ ନିର୍ବାଚନ ପ୍ରଚାର କମିଟିରେ ଓଡ଼ିଶାର ଜଣେ ବି ସ୍ଥାନ ନପାଇବାରୁ ଗଭୀର କ୍ଷୋଭ ପ୍ରକାଶ କରିଛି । ରାଜ୍ୟ ବିଜେପିରେ ଦକ୍ଷ ନେତୃତ୍ୱର ଅଭାବ ଅନୁଭବ କରି ରାଜ୍ୟ ପଛୁଆ ବର୍ଗର କିଛି ଆଗଧାଡ଼ିର ନେତା ନୂଆ ଦଳ ‘ଆମ ଜନତା ଦଳ’ ଗଠନ କରିଛନ୍ତି । ବିଜେଡିର ପ୍ରଚାର ସର୍ବସ୍ୱ ବିକାଶକୁ ବାସ୍ତବରେ ପୂରଣ କରିବାକୁ ଅଂଟା ଭିଡିଛି । ଆମ ଜନତା ଦଳ ଆବାହକ ସୀତାରାମ ବେହେରା କହିଛନ୍ତି, ବିଜେଡିର ବିକାଶ କେବଳ ପ୍ରଚାରରେ ସୀମିତ; ମାତ୍ର ଆମେ କାମରେ ଦେଖାଇବୁ । ରାଜ୍ୟ ଶାସନକୁ ପାଂଚଟି ଟାଉଟରଙ୍କ ହାତରେ ଧରାଇ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ବଂଶୀ ବଜାଉଛନ୍ତି । ଚଳିତ ବନ୍ୟାପାଣି ତାହା ପ୍ରମାଣ କରିଛି । ଖରାଦିନରେ ଦୁର୍ବଳ ନଦୀବନ୍ଧଗୁଡ଼ିକ ଠିକ୍‌ ଭାବରେ ମରାମତି ହୋଇଥିଲେ, ଚଳିତ ବନ୍ୟାରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ନଥାନ୍ତା । ନଦୀବନ୍ଧ ଉପର ଦେଇ ବନ୍ୟାପାଣି ପ୍ରବାହିତ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ; ତାହାକୁ ପ୍ରାକୃତିକ ଦୁର୍ବିପାକ କୁହାଯାଇପାରେ । ମାତ୍ର ଆମ ପାଖରେ ସବୁ ପ୍ରକାର ସାଧନ ଥାଇ ଖରାଦିନଟିକୁ ନାଚିଗାଇ ବିତାଇଲେ । ବର୍ଷାଦିନ ଆସିବାରୁ ଆମ ମୁଖ୍ୟମନ୍ତ୍ରୀ ଜଳ ସଂପଦ ବିଭାଗର ଅଧିକାରୀଙ୍କୁ ତାଗିଦ କଲେ । ଫଳ କ’ଣ ହେଲା? ନଦୀବନ୍ଧ ମରାମତି ପାଇଁ ସଜବାଜ ହେଉହେଉ ବନ୍ୟାପାଣି ଆସି ପହଂଚିଲା । ଚଳିତ ବନ୍ୟା ପ୍ରଥମ ମୁଣ୍ଡ ନେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ଅଂଚଳ ବୁଲିବାକୁ ବାହାରିଲେ । ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହି ବାବୁ ଆକାଶମାର୍ଗରୁ ବନ୍ୟାପାଣି ଭିତରେ ଲୋକମାନଙ୍କ ଦୁର୍ଦ୍ଦଶା ଦେଖିବେ ।
ବିଜେଡି ଜାହାଜଟିର ପାଣି ଉପରକୁ ଯେତିକି ଦେଖାଯାଏ, ତା’ର ତିନିଗୁଣ ପାଣି ଭିତରେ ଲୁଚି ରହିଛି ।

ମୁଷ୍ଟିମେୟ ଦଳୀୟ ନେତା, ଶିଳ୍ପପତି, ବ୍ୟବସାୟୀ, ପ୍ରଶାସକଙ୍କୁ ହାତମୁଠାରେ ରଖି ରାଜ୍ୟର ସାଢେ଼ ଚାରିକୋଟି ଲୋକଙ୍କ ଜୀବନ ସହ ଖେଳୁଛି ବିଜେଡି । ଆଗାମୀ ନିର୍ବାଚନରେ ନବୀନବାବୁଙ୍କୁ ସାମ୍ନା କରିବାର ସାହସ ପ୍ରଧାନମନ୍ତ୍ରୀ ମୋଦୀ ହରାଇଛନ୍ତି । ସଂସଦୀୟ ବୋର୍ଡ ଓ ନିର୍ବାଚନ ପ୍ରଚାର କମିଟିରେ ଓଡ଼ିଶାର କେହି ନରହିବା ତାହା ପ୍ରମାଣିତ କରୁଛି । ଅନ୍ୟ ଅର୍ଥରେ କହିଲେ, ନବୀନବାବୁଙ୍କ ପାଖରେ ମୋଦୀଙ୍କର କୌଣସି ମନ୍ତ୍ର କାମ କଲାନି । ତେଣୁ ହାତ ଟେକି ନବୀନବାବୁଙ୍କୁ କୋଳେଇ ନେବା ବ୍ୟତୀତ ମୋଦୀଙ୍କ ପାଖରେ ଆଉ କିଛି ବାଟ ନାହିଁ । ମାତ୍ର ‘ଆମ ଜନତା ଦଳ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସବୁ ଅଭିନୟକୁ ପଦାରେ ପକାଇବ । ବିକାଶ ଆଳରେ ରାଜ୍ୟବାସୀଙ୍କୁ ବିନାଶ ଆଡ଼କୁ ନିଆଯାଉଛି; ରାଜ୍ୟର ଶିକ୍ଷକ, କୃଷକ, ଶ୍ରମିକ, ଯୁବଶକ୍ତିକୁ ଭାଗଭାଗ କରି ଭୋଟ ହାତେଇବାର ଯୋଜନା ଚାଲିଛି । ଗରିବଙ୍କ ତ୍ରାଣକର୍ତା ନବୀନବାବୁ ଯେ ଟଙ୍କାଏ ଦେଇ ଶହେଟଙ୍କା ଖାଉଛନ୍ତି; ତାହା ଜଳଜଳ ହୋଇ ଦେଖାଯାଉଛି । ୨୦୨୪ ନିର୍ବାଚନ କେବଳ ବିଜେଡି ଓ ଏଜେଡି ଭିତରେ ହେବ ।