ନବୀନଙ୍କ ଦୁର୍ବଳତା ଖୋଜିବାକୁ ଅମିତଙ୍କ ପରାମର୍ଶ

ବରିଷ୍ଠ ନେତାଙ୍କ ମୁଣ୍ଡରେ ବୋଝ ଲଦି ଚାଲିଗଲେ…

ଭୁବନେଶ୍ୱର: ଦଳୀୟ ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଥିଲା, ‘ନବୀନବାବୁ ବିଜେପି ପାଇଁ କଂଟା । ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଆମର କ୍ଷମତାକୁ ଯିବା ଅସମ୍ଭବ । ତେଣୁ ତାଙ୍କ ଦୁର୍ବଳତା ଖୋଜି ବାହାର କର । ତାକୁ ଅସ୍ତ୍ର ରୂପେ ପ୍ରୟୋଗ କରି ଚଉକିରୁ ହଟାଅ । ତା’ ନହେଲେ ୨୦୨୪ ନିର୍ବାଚନ ପରେ ଆମେ କାହାକୁ ମୁହଁ ଦେଖାଇ ପାରିବାନି ।’ ତା’ ସହିତ ଅମିତଙ୍କ ଦ୍ୱିତୀୟ ସନ୍ଦେଶଟି ଥିଲା । ‘ନବୀନବାବୁଙ୍କୁ କ୍ଷମତାରୁ ଯୋଉ ଶକ୍ତି ମୁଣ୍ଡ ଟେକୁଛି; ତାକୁ ଦଳ ତରଫରୁ ଯାବତୀୟ ସହଯୋଗ କର । ଅମିତଙ୍କ ଇଶାରା ଅନ୍ୟ ଛୋଟଛୋଟ ଦଳ ପ୍ରତି ଥିଲା । ମାତ୍ର ଆମ୍‌ ଆଦ୍‌ମୀ ପାର୍ଟି କଥା ବୈଠକରେ ଉଠି ନଥିଲା ।’

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଦଳର ତୁଙ୍ଗନେତାଙ୍କ ଚିନ୍ତା ବଢ଼ାଇଦେଇଛି । ଦଳର ଦୁର୍ବଳ ସ୍ଥିତି ପାଇଁ ସେ ସବୁ ବରିଷ୍ଠ ନେତାଙ୍କୁ ଦାୟୀ କରିଥିଲେ । ସେ ଦେଇଥିବା ଗୁରୁମନ୍ତ୍ର’ର ସାରାଂଶ ହେଉଛି, ବରିଷ୍ଠ ନେତାମାନେ କ୍ଷମତା ପଛରେ ଦୌଡ଼ିବା ବଦଳରେ ସମସ୍ତଙ୍କ ପ୍ରତି ସମଭାବାପନ୍ନ ରହି ଦଳକୁ ମଜଭୁତ କରିବା ଦରକାର । ବରିଷ୍ଠ ନେତାମାନେ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାର ଦାୟିତ୍ୱ ମୁଣ୍ଡାନ୍ତୁ । ଦଳକୁ ଜିତାଇବା ସବୁ ନେତାଙ୍କର ଏକମାତ୍ର ଲକ୍ଷ୍ୟ ରହିବା ଦରକାର । ବରିଷ୍ଠ ନେତାମାନେ ପରସ୍ପର ଭିତରେ ଥିବା ମନାନ୍ତରକୁ ପଛକୁ ପକାଇ ଦଳ ପାଇଁ ଏକଜୁଟ ହୋଇ କାମ କରନ୍ତୁ । ବୈଠକ ସାରିବା ପୂର୍ବରୁ ଅମିତ ଶାହଙ୍କ ଶେଷ ବାକ୍ୟ ଥିଲା, ‘ପାର୍ଟି କୋ ଜିତାଓ, ସବକୁଛ୍‌ ପାଓ’ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଗୁରୁମନ୍ତ୍ରକୁ ଦଳର ତୃଣମୂଳ ନେତା ଓ ବରିଷ୍ଠ ନେତାମାନେ କେତେ ଦୂର ମାନୁଛନ୍ତି, ତାହା ଭବିଷ୍ୟତରେ ଜଣାପଡ଼ିବ ।