ଛି’ କହି ବିଜେପି ହାତ ଛାଡ଼ିଲେ ନୀତୀଶ

ଇସ୍ତଫା ପତ୍ର ଦେଲେ, ସାନି ସରକାର ଗଠନ ଦାବି

ପାଟନା: ବିଜେପି ସହ ମାତ୍ର ୫ ବର୍ଷ ସଂସାର କରିବା ପରେ ଛାଡ଼ପତ୍ର ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମଙ୍ଗଳବାର ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେପରେ ପୁଣି ସରକାର ଗଠନ କରିବାକୁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ବିଜେପିଠାରୁ ଅଲଗା ହୋଇ ନୀତୀଶ ପୁଣି କଂଗ୍ରେସ ଓ ଆରଜେଡିକୁ ଆଦରିଛନ୍ତି । ହମ୍‌ର ୪ ଜଣ ବିଧାୟକ ଓ ବାମମୋର୍ଚ୍ଚାର ୧୭ ବିଧାୟକ ନୀତୀଶଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି । ସୂଚନା ମୁତାବକ ବିହାର ବିଧାନସଭାରେ ରାଷ୍ଟ୍ରୀୟ ଜନତା ଦଳର ୭୯ ବିଧାୟକ ଅଛନ୍ତି । କଂଗ୍ରେସର ୧୯, ହମ୍‌’ର ୪ ଓ ବାମପନ୍ଥୀ ଦଳର ୧୭ ଜଣ ବିଧାୟକ ଅଛନ୍ତି । ଜେଡିୟୁର ୪୫ ଜଣ ବିଧାୟକଙ୍କୁ ମିଶାଇଲେ ନୀତୀଶଙ୍କ ପାଖରେ ୧୬୪ ବିଧାୟକ ଅଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଜେଡିୟୁର ସବୁ ବିଧାୟକ ଓ ସାଂସଦ ଏକଜୁଟ ହୋଇଥିଲେ । ନୀତୀଶ କହିଛନ୍ତି, ବିଜେପି ସବୁବେଳେ ମୋତେ ଦୁର୍ବଳ କରିବାକୁ ବସିଛି । ବିଜେପି ମୋତେ ଅପମାନିତ କରିଛି । ୨୦୧୩ରୁ ଆଜି ପର୍ଯ୍ୟନ୍ତ ବିଜେପିଠାରୁ କେବଳ ଧୋକା ପାଇଛି । ବୈଠକ ଶେଷ କରି ନୀତୀଶ ରାଜ୍ୟପାଳ ଭବନକୁ ଗଲେ । ରାଜ୍ୟପାଳ ଫାଗୁ ଚୌହ୍ୱାନଙ୍କୁ ଦୁଇଟି ପତ୍ର ପ୍ରଦାନ କରିଛନ୍ତି ନୀତୀଶ । ଗୋଟିଏ ପତ୍ରଟି ତାଙ୍କର ଇସ୍ତଫା ପତ୍ର ଥିଲାବେଳେ ଅନ୍ୟଟି ସାନି ସରକାର ଗଠନ ପ୍ରସ୍ତାବ ପତ୍ର ।

ରାଜ୍ୟପାଳଙ୍କ ବାସଭବନରୁ ନୀତୀଶ କୁମାର ସିଧା ରାବିଡ଼ି ଦେବୀଙ୍କ ନିକଟକୁ ଯାଇଥିଲେ । ସେଠାରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ରାବିଡ଼ି ଦେବୀଙ୍କ ସହ ଆଲୋଚନା କରି ନୀତୀଶ ଘରକୁ ଫେରିଯାଇଛନ୍ତି । ସନ୍ଧ୍ୟା ସୁଦ୍ଧା ତେଜସ୍ୱୀ ନୀତୀଶଙ୍କ ଘରକୁ ଯାଇ ୧୧୫ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିବେ ।