ଅନନ୍ତ ବିହାର ଅଶାନ୍ତ: ଜବରଦଖଲ ଉଚ୍ଛେଦ

ଶନିବାର ପୋଖରୀପୁଟ ଅନନ୍ତ ବିହାର …

ଭୁବନେଶ୍ୱର: ଶନିବାର ପୋଖରୀପୁଟ ଅନନ୍ତ ବିହାର ଫେଜ୍ ୩ ଲେନ୍ ନମ୍ୱର ୧୦ରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ପୋଖରୀପୁଟ ଓ ଜାଗମରା ସୀମାରେ ଥିବା ୧୪୧ ନମ୍ବର ପ୍ଲଟରେ ସରକାରୀ ଜମିରେ ବେଆଇନ ଭାବେ ଗଢ଼ି ଉଠିଥିବା ୨ଟି ଘରକୁ ଚିହ୍ନଟ କରି ଉଚ୍ଛେଦ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ବିଡ଼ିଏ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଜମିରେ ଉଚ୍ଛେଦ ସମୟରେ ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତେଜନାମୂଳକ ପରିବେଶ ସୃଷ୍ଟି ହୋଇଥିଲା ।

କୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ସରକାରୀ ଅଧିକାରୀ ମନମାନି କରୁଥିବା ଓ ଘର ଉଚ୍ଛେଦ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କୋର୍ଟରେ ମାମଲା ଚାଲିଥିବା ବେଳେ ଏହାକୁ କିଭଳି ଉଚ୍ଛେଦ କରାଯିବ ସେ ନେଇ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା ।

ସ୍ଥାନୀୟ ବାସିନ୍ଦା ବିପିନ ମହାପାତ୍ରଙ୍କ କହିବା ଅନୁଯାୟୀ, ୨୦୧୨ ମସିହାରୁ ସେ ପ୍ଲଟ ନମ୍ବର ୧୪୫ ଜମି କିଣି ଘର କରି ରହୁଛନ୍ତି । ଏହା ସରକାରୀ ଜମିରେ ଯାଉ ନଥିବା ବେଳେ ଉଚ୍ଛେଦ କରିବା ନେଇ ବିଡ଼ିଏ ବାରମ୍ବାର ନୋଟିସ ଦେଇ ଆସୁଛି । ଏନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି । ତେବେ ମାପ ଠିକ୍ ଭାବେ ହେଉ ନଥିବା କାରଣରୁ ସରକାରୀ ଅଧିକାରୀ ଜମିର ସଠିକ୍ ସୀମା ନିର୍ଦ୍ଧାରଣ କରି ପାରୁନାହାନ୍ତି । ସାଧାରଣ ପ୍ରଶାସନ ବିଭାଗର ଡେପୁଟି ଡାଇରେକ୍ଟର ଅମିତ୍ କୁମାର ଦାସ କହିଛନ୍ତି ଆମେ କୋର୍ଟର ନିଦେ୍ର୍ଦଶ କ୍ରମେ ଯାହା ଅର୍ଡର ଆସିଛି ତାକୁ ଭାଙ୍ଗୁଚୁ ।

ଯେଉଁମାନେ କହୁଛନ୍ତି କେସ୍ ଚାଲିଛି ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଯେହେତୁ ଦୀର୍ଘଦିନ ଧରି ଜବରଦଖଲ କରି ରହି ଆସିଲେଣି ତେଣୁ ବିରୋଧ କରୁଛନ୍ତି । ଯେଉଁମାନଙ୍କର ଜମି ସମ୍ବନ୍ଧୀୟ ବୈଧ ପ୍ରମାଣପତ୍ର ରହିଛି, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ବହୁ ପ୍ରଶାସନିକ ଅଧିକାରୀଙ୍କ ନିକଟରୁ ଜବରଦଖଲ ଜମି ଫେରାଇ ଆଣିବାର ସତ୍ସାହସ ଦେଖାଇ ପାରୁ ନଥିବା ସରକାରୀ ବାବୁମାନେ ମଧ୍ୟବିତଙ୍କ ଉପରେ ଦାଉ ସାଧୁଛନ୍ତି ।