ଅନୁଗୋଳରେ ‘ନାଲକୋ ଠିକା ମଜଦୁର ସଂଘ’ର ରୌପ୍ୟ ଜୟନ୍ତୀ

ଅନୁଗୋଳ: ମୋଦି ସରକାରରେ ଦେଶରେ ଶ୍ରମର ପରିଭାଷା ବଦଳିବା ସହ ଶ୍ରମଶକ୍ତିର ସମ୍ମାନ ବଢିଛି ବୋଲି ରବିବାର ଅନୁଗୋଳର ନାଲକୋ ଅଡିଟୋରିୟମରେ ‘ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମୂଲ୍ୟକୁ ସର୍ବାଧିକ ବୃଦ୍ଧି ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି । ଦେଶରେ ଶ୍ରମର ପରିଭାଷା ବଦଳିଛି । ଶ୍ରମିକ ଭାଇ ଭଉଣୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି । ମୋଦି ସରକାରରେ ଦେଶରେ ଶ୍ରମଶକ୍ତିର ସମ୍ମାନ ବଢିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୪୦ ବର୍ଷ ଧରି ନାଲକୋ ଅଞ୍ଚଳ ସହ ମୋର ସମ୍ପର୍କ ରହିଛି । ମୁଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସହିତ ମଜଦୁର ସଂଘର କାର୍ଯ୍ୟକର୍ତ୍ତା । ମୁଁ ଶ୍ରମିକ ଅଞ୍ଚଳରୁ ଆସିଛି ଏବଂ ପିଲା ଦିନରୁ ଏହାକୁ ଭଲ ଭାବରେ ବୁଝିଛି । ଗରିବ ଓ ଶ୍ରମିକଙ୍କ ସ୍ୱାର୍ଥ ଏବଂ ହକ୍ ପାଇଁ ଲଢୁଥିବା ସଂଗଠନକୁ ସବୁବେଳେ ସମର୍ଥନ କରିଆସିଛି । ମଜଦୁରର କୌଣସି ଜାତି ନାହିଁ । ମଜଦୁରର ଗୋଟେ ଜାତି ଏବଂ ତାହା ହେଉଛି ପରିଶ୍ରମ କରିବା । ତେଣୁ ନାଲକୋ ମ୍ୟାନେଜମେଣ୍ଟକୁ ସେମାନଙ୍କର କଲ୍ୟାଣ ପାଇଁ ଦାୟିତ୍ୱ ନେବାକୁ ପଡିବ । ନାଲକୋରେ ସ୍ଥାନୀୟ ସ୍କୁଲ ଗୁଡିକରେ ଅଧିକ ଶିକ୍ଷକ ନିଯୁକ୍ତି କରାଯାଉ । କଲୋନୀ ଭିତରୁ ସ୍କୁଲ ପିଲାଙ୍କ ପାଇଁ ବସ ଚଳାଚଳ କରିବାର ବ୍ୟବସ୍ଥା ହେଉ । ଏହାସହ ଠିକା ଶ୍ରମିକ ମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ଅନ୍ୟାନ୍ୟ ଦାବିକୁ ଯଥୋଚିତ ସମ୍ମାନ ଦେବା ପାଇଁ ନାଲକୋ ପରିଚାଳନା କମିଟିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନୁଗୋଳରେ ନାଲକୋକୁ ବ୍ୟାପକ କରିବାରେ ମଜଦୁର୍ ସଂଘର ବଡ ଭୂମିକା ରହିଛି । ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକୁ ବଢାଇବାରେ ମଧ୍ୟ ନାଲକୋର ଅଧିକ ଭୂମିକା ରହିଛି । ନାଲକୋର ଡିସଇନଭେଷ୍ଟମେଣ୍ଟ ଓ ଘରୋଇକରଣ ହେବ ନାହିଁ ବୋଲି ମୋଦି ସରକାର ନିଷ୍ପତି ନେଇଛନ୍ତି । ଆଜି ଏଠାରେ ପ୍ରତିଷ୍ଠିତ ଇଏସଆଇ ହସ୍ପିଟାଲ ଦ୍ୱାରା ଶ୍ରମିକ ବନ୍ଧୁମାନେ ଉପକୃତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନାଲକୋର ଚକ୍ଷୁ ଚିକିତ୍ସାଳୟ ଖୋଲିବା ପାଇଁ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ।

ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳକୁ ଆଗକୁ ନେବା ପାଇଁ ଆମ ପାଖରେ ବ୍ୟାପକ ସମ୍ଭାବନା ଅଛି । ବେଳେ ବେଳେ ଏଠାରେ ଆନ୍ଦୋଳନ କାରଣରୁ ଶ୍ରମିକ ଏବଂ ରାଜ୍ୟ ଓ ଦେଶର ରାଜସ୍ୱ କ୍ଷତି ହେଉଛି । ନାଲକୋର କାପାସିଟି ବଢୁ । ନାଲକୋ ପ୍ରତି ଲୋକଙ୍କ ଦାୟିତ୍ୱ ବଢୁ । ଠିକା ଶ୍ରମିକ ମାନଙ୍କ ସହ ସାମୂହିକ ନେତୃତ୍ୱରେ ହିଁ ନାଲକୋର ଉନ୍ନତି ସହ ସ୍ଥାନୀୟ ଅଞ୍ଚଳରେ ବିକାଶ ଦ୍ରୁତଗାମୀ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ନାଲକୋ ଅଞ୍ଚଳରେ ଇଏସଆଇ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରମିକ ସଂଘ ଧନ୍ୟବାଦ ଜଣାଇଥିଲେ ।