Anugul, ବାଇକ୍ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ତିନି ଜୀବନ
ବାଇକ୍ ଉପରେ ଚଢ଼ିଗଲା ଟ୍ରକ । ଆଖି ପିଛୁଳାକେ ଚାଲିଗଲା ବାପା ଓ ଦୁଇଝିଅଙ୍କ ଜୀବନ । ଏଭଳି ଛାତିଥରା ଦୁର୍ଘଟଣା ଦେଖି ପାରି ନଥିଲେ କିଛି ପ୍ରତ୍ୟକ୍ଷଦର୍ଶୀ ।
ଶୁକ୍ରବାର ଦିନ ସକାଳେ ୫୩ ନମ୍ବର ଜାତୀୟ ରାଜପଥ ଉପରେ କାମାକ୍ଷାନଗର ଥାନା ଅଂଚଳରେ ମାଲପୁରା ଓଭରବ୍ରିଜ ନିକଟରେ ଗୋଟିଏ ବାଇକ ପଛପଟୁ ଟ୍ରକଟିଏ ଚଢ଼ିଗଲା ।
ଘଟଣାସ୍ଥଳରେ ବାଇକ ଚାଳକଙ୍କ ସମେତ ଦୁଇଝିଅ ପ୍ରାଣ ହରାଇଥିଲେ । ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀ କହିବାନୁସାରେ ବାଇକରେ ଚାରିଜଣ ବସିଥିଲେ ।
ସମ୍ଭବତଃ ବାପା ଗାଡ଼ି ଚଳାଉଥିଲେ, ଦୁଇଝିଅ ଓ ସେମାନଙ୍କ ମା’ ବାଇକରେ ବସି କୌଣସି କାମରେ ଯାଉଥିଲେ ।
ମୃତକଙ୍କ ପରିଚୟ ମିଳିବା ସମ୍ଭବପର ହୋଇନି । ବାଇକଟି ଭୁବନରୁ କାମାକ୍ଷାନଗର ଆଡ଼କୁ ଯାଉଥିଲା ।
ଟ୍ରକଟି ତୀବ୍ର ବେଗରେ ବାଇକ ଆଡକୁ ମାଡ଼ି ଯାଇଥିଲା ।
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରକଟି ବାଇକକୁ ଦୁର୍ଘଟଣା ସ୍ଥଳରୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଯାଇଥିଲା ।