ବିଜେଡିକୁ ବାଣ: କହି ଦେଉଥାଇ ପରକୁ

ଯୁବନେତ୍ରୀଙ୍କୁ ଧନ୍ୟବାଦ

ଦେଶର କୌଣସି ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ସକାରାତ୍ମକ ମନୋଭାବ ନେଇ କାମ କରୁଥିବାର ଦେଖିବାକୁ ମିଳୁନି । ବିରୋଧୀ ଆସନରେ ବସିଛନ୍ତି ମାନେ କ୍ଷମତାସୀନ ଦଳର ପ୍ରତି କଥାକୁ ବିରୋଧ କରିବା ଚିରାଚରିତ ପ୍ରଥା । ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ସାମ୍ନା କରିବା ଭଳି ତାକତ ଆଉ ବିଜେପି ଓ କଂଗ୍ରେସ ପାଖରେ ନାହିଁ । ସେଇଥିପାଇଁ ତ ପାଂଚ ପାଂଚଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ନବୀନ ପଟ୍ଟନାୟକ ।
ଦକ୍ଷ ଶାସନ ପାଇଁ ନୁହେଁ ଦୁର୍ବଳ ବିରୋଧୀ ଶକ୍ତି କାରଣରୁ ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦକୁ ମାଡ଼ି ବସିଛନ୍ତି ନବୀନ ପଟ୍ଟନାୟକ ।

ବିଜେଡିର ଜଣେ ଯୁବନେତ୍ରୀ ବିରୋଧୀକୁ ବାଣ ମାରିଛନ୍ତି ଯେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ବିରୋଧୀ ନେତାମାନେ ରାଜ୍ୟ ଶାସନକୁ କବଳିତ କରିବାକୁ ଚାହୁଁଛନ୍ତି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବାର ସାହସ ବିରୋଧୀ ପାଖରେ ନାହିଁ, ସେତିକି କାମ କରି ପାରୁଥିଲେ, ଓଡ଼ିଶାର ଦୁର୍ଗମ ଜିଲ୍ଲାଗୁଡ଼ିକରେ ଲୋକମାନଙ୍କର କିଛି ସମସ୍ୟା ରୁହନ୍ତା ନାହିଁ ।

ବିରୋଧୀଙ୍କୁ ଏପରି ବାଣ ମାରିବା ଭିତରେ ବିଜେଡିର ଯୁବନେତ୍ରୀ ଜଣକ ନିଜ ଦଳର ମୁଖିଆଙ୍କର ଦୁର୍ବଳ ଶାସନକୁ ଇଙ୍ଗିତ କରୁଥିବାର ଜଣାପଡେ଼ । କନ୍ଧମାଳ, ବରଗଡ଼, ଫୁଲବାଣୀ, କଳାହାଣ୍ଡି, ନୂଆପଡ଼ା ଭଳି ଜିଲ୍ଲାଗୁଡ଼ିକର ଲୋକମାନେ ଯେ ନାହିଁ ନଥିବା ସମସ୍ୟା ଭିତରେ ରହୁଛନ୍ତି; ସେ କଥା ଯୁବନେତ୍ରୀ ଅନୁଭବ କରିପାରିଛନ୍ତି । ସେହି ଉପଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଅନ୍ତୁ । ଛେଳିଗୋଡ଼ରେ ଯଦି ବେଙ୍ଗଳା ପଡ଼ିପାରନ୍ତା, ବଳଦକୁ କାହିଁକି ଲୋଡ଼ା ଯାଉଥାନ୍ତା ।

ଏକ ନିର୍ବାଚିତ ସରକାରର ପ୍ରଥମ ଦାୟିତ୍ୱ ହେଉଛି ଲୋକଙ୍କ ନିକଟକୁ ଯାଇ ସେମାନଙ୍କର ହାରିଗୁହାରି ଶୁଣିବା । ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ନବୀନ ପଟ୍ଟନାୟକ କେବେ ଜନଅଭିଯୋଗ କାର୍ଯ୍ୟାଳୟରେ ବସି ଲୋକଙ୍କର ହାନିଲାଭ ଶୁଣିବାକୁ ଉଚିତ ମଣିନାହାନ୍ତି । ସବୁକିଛି ସରକାରୀ ଚାକରଙ୍କ ଉପରେ ଛାଡ଼ି ଦେଇଛନ୍ତି ।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ରାଜ୍ୟରେ ନିର୍ବାଚିତ ସରକାର ଶାସନ କରୁଛନ୍ତି ବୋଲି ଜଣାପଡୁନି । ସବୁକିଛି ଚାଲିଛି ସରକାରୀ ଚାକରଙ୍କ ମର୍ଜିରେ । ସେଇଥିପାଇଁ ତ ଆକାଶ ପାଠକ, ପ୍ରଶାନ୍ତ ରାଉତଙ୍କ ଭଳି ସରକାରୀ ଅଧିକାରୀମାନେ ଆୟ ବହିର୍ଭୂତ ସଂପତି ଠୁଳ କରିବାକୁ ସୁଯୋଗ ପାଇଲେ ।

ବିଜେଡିର ଯୁବନେତ୍ରୀ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦକ୍ଷଶାସନର କଦର୍ଯ୍ୟ ମୁଖା ଖୋଲିଥିବାରୁ ପ୍ରଶଂସାର ପାତ୍ର । ରାଜ୍ୟର ଜନତାଙ୍କ ଆଗରେ ଖଣ୍ଡିଏ ରୁଟି ପକାଇ ରାଜକୋଷ ଲୁଟିବା ଯୋଜନା ଆଉ ବେଶିଦିନ ନୁହେଁ ।