160×600
160×600

ମହାନଦୀ କଳି: ଭାରତ ମାତାର ଦୁଇଝିଅଙ୍କୁ ମନାଇବେ ସିଂଦେଓ

ଦାସେ ଆଇଲେ ମୂଳରୁ ଗାଅ’ ନୀତିରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂଦେଓ ମହାନଦୀ ଜଳ ବିବାଦ ସମାଧାନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶା ଓ ଛତିଶଗଡ଼ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମଧ୍ୟସ୍ଥି ଦାୟିତ୍ୱ ତୁଲାଇବା ଦରକାର । ମାତ୍ର କେନ୍ଦ୍ରରେ ବିଜେପି ମେଂଟ କ୍ଷମତାସୀନ ଥିବାରୁ ଛତିଶଗଡ଼ର ବିଜେପି ସରକାର ପ୍ରତି ଅନୁକମ୍ପା ରହିଛି । କେନ୍ଦ୍ର ବିଜେପି ଛତିଶଗଡ଼ ବିଜେପିର ପ୍ରତ୍ୟେକ କଥାକୁ ବେଦବାକ୍ୟ ମଣୁଛି ।

ଓଡ଼ିଶାରେ ବିଜେଡି ସରକାର ଥିବାରୁ କେନ୍ଦ୍ର ବିଜେପି ମଧ୍ୟସ୍ଥି ପାଇଁ ପଛେଇଗଲେ । ମାମଲା କୋର୍ଟକୁ ଗଲା । ଏତିକି କଥା କ’ଣ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ସିଂଦେଓ ଜାଣିନାହାନ୍ତି? ଜଣେ ବରିଷ୍ଠ ରାଜନେତା ଭାବେ ରାଜ୍ୟ ଶାସନର ପ୍ରତିଟି ଖବର ଜାଣିବା ଦରକାର । ମହାନଦୀ ଜଳ ବିବାଦ ମାତ୍ର କେଇ ମାସର ନୁହେଁ, ଦୀର୍ଘଦିନର ବିବାଦ ସମାଧାନ କରିବାକୁ ହେଲେ ଉଭୟ ପକ୍ଷ ଆପୋଷ ବୁଝାମଣା ପାଇଁ ରାଜି ହେବା ଜରୁରୀ । ବୁଝାମଣା ମାନେ ନୁହେଁ ଗୋଟିଏ ରାଜ୍ୟ ଆଉ ଗୋଟିଏ ରାଜ୍ୟ ଉପରେ ନିଷ୍ପତି ଲଦିଦେବ ଓ ମାନିବାକୁ ବାଧ୍ୟ କରିବ । ଗୋଟିଏ ଦେଶର ଦୁଇଟି ରାଜ୍ୟ ମଧ୍ୟରେ ବୁଝାମଣା ନରହିବା ନିହାତି ଲଜ୍ଜାକର ଘଟଣା । ଦୁଇଟି ରାଜ୍ୟର ପରିଚୟ ହେଉଛି ଭାରତୀୟ । ତେଣୁ ଜଣକର ଅଭାବକୁ ଆଉ ଜଣେ ବାଂଟିନେବା ଦରକାର । ଜଣକର ହାନିଲାଭ ଆଉ ଜଣେ ବୁଝିବା ଦରକାର ।

ଅତଏବ ମହାନଦୀ ଜଳ ଉପରେ ଉଭୟ ରାଜ୍ୟର ସମାନ ଅଧିକାର ରହିଛି । ମାତ୍ର ଛତିଶଗଡ଼ ଓ ଓଡ଼ିଶା ସରକାର ପରସ୍ପରକୁ ବୁଝିପାରୁନାହାନ୍ତି । ମହାନଦୀ ଛତିଶଗଡ଼ ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିଛି । ତେଣୁ ଛତିଶଗଡ଼ ପ୍ରଥମେ ଆପଣା ଚାହିଦା ମୁତାବକ ଜଳ ବ୍ୟବହାର କରିସାରିବା ପରେ ଓଡ଼ିଶାକୁ ଛାଡୁଛି । ସମୟ ସମୟରେ ଛତିଶଗଡ଼ ସରକାର ହଠାତ୍‌ ମହାନଦୀ ଜଳ ଛାଡ଼ିଦେବାରୁ ତାହା ହୀରାକୁଦ ପ୍ରତି ବିପଦ ସୃଷ୍ଟି କରୁଛି । ଏପରି ଆଭିମୁଖ୍ୟ କ’ଣ ପାଇଁ?

  • ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ସିଂଦେଓ ପ୍ରଥମେ ଆପଣା ସରକାର ମନରେ ଥିବା ଅହଂକାର ପଣିଆ ଛାଡ଼ିବା ଦରକାର ।
  • ମହାନଦୀ ଜଳକୁ ଉଭୟ ରାଜ୍ୟ କିପରି ବ୍ୟବହାର କରିବେ, ତାହାର ସରଳ ସମାଧାନ ଉଭୟ ରାଜ୍ୟର ସରକାରଙ୍କ ପାଖରେ ରହିଛି ।

କିନ୍ତୁ ମାମଲାଟି କୋର୍ଟକୁ ଗଲା କାହିଁକି? ଏଥିପାଇଁ ଦାୟୀ କିଏ? ସେ କଥା ଛତିଶଗଡ଼ ବିଚାର କରୁ ।

  • ଓଡ଼ିଶା ସରକାର ସବୁବେଳେ ଶାନ୍ତିପୂର୍ଣ୍ଣ ସମାଧାନ ଚାହିଁଛନ୍ତି; କିନ୍ତୁ ଛତିଶଗଡ଼ ସରକାର ଖଳବୁଦ୍ଧି ପ୍ରୟୋଗ କରି ଓଡ଼ିଶାକୁ ବାଧ୍ୟ କରିଛନ୍ତି ଅଦାଲତକୁ ଯିବା ପାଇଁ ।
  • ବିଳମ୍ବରେ ହେଲେ ମଧ୍ୟ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ସିଂଦେଓ ଭଲ କଥା କହିଛନ୍ତି । ମାତ୍ର ତାକୁ ସେ କେତେଦୂର ପାଳନ କରିବେ, ତାହା ସମୟ କହିବ ।