ପୁରୀରେ ମୁହାଁମୁହିଁ ହେବେ ମୋଦି-ପାଣ୍ଡିଆନ

ପୁରୀ ବଡ଼ଦାଣ୍ଡ ପାଲଟିବ ରାଜନୀତିର ରଣଭୂମି ।

ପୁରୀ: ରୋଡ ଶୋ କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଓଡ଼ିଶା ରାଜନୀତି ରୋଚକ ମୋଡ଼ ନେଇସାରିଛି । ଗୋଟେପଟେ ମୋଦିଙ୍କ ପୂରା କେନ୍ଦ୍ରୀୟ ଟିମ, ଆଉ ଏପଟେ ଏକା ନବୀନ ପଟ୍ଟନାୟକ । ବିଜେପି ତାର ସବୁ କଳବଳ କୌଶଳ ଲଗାଇଦେଇଛି ଓଡ଼ିଶାକୁ ଦଳର କରିବାକୁ । କେତେବେଳେ ମୋଦିଙ୍କ ରୋଡ ଶୋ ତ ଆଉ କେତେବେଳେ ନଡ୍ଡାଙ୍କ ରୋଡ ଶୋ । ସେପଟେ ଅମିତ ଶାହ ଆସି ଜନସଭା କରି ବିଜେଡିକୁ କରୁଛନ୍ତି କଡ଼ା ସମାଲୋଚନା । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନବୀନ ସରକାର ଟାର୍ଗେଟ କରିବା ସହ ଭୋଟରଙ୍କୁ ପଦ୍ମ ଆଡକୁ ଟାଣିବାକୁ ଚେଷ୍ଟା କରୁଛନ୍ତି । କଡ଼ା ମତ ମନ୍ତବ୍ୟ ଦେବା ସହ ମୋଦି ଗ୍ୟାରେଣ୍ଟି କହି ନିଜ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି ।

ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗୋଟିଏ ପରେ ଗୋଟିଏ ପ୍ଲାନ ସାମ୍ନାକୁ ଆଣୁଛନ୍ତି । କେଉଁଠି ସଭା କରୁଛନ୍ତି କେଉଁଠି ରୋଡ ଶୋ । ଆଉ କେଉଁଠି ବିକାଶ କଥା କହି ଜନମତ ଲୋଡ଼ୁଛନ୍ତି । ବିରୋଧୀ ଯେତେ ଆକ୍ରମଣ କଲେ ମଧ୍ୟ ପାଣ୍ଡିଆନ ଏହାର ଜବାବ ଦେବାକୁ ପଛାଉନାହାନ୍ତି । ପ୍ରଚାର ମଇଦାନ ସରଗରମ ଥିବାବେଳେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ରାଜନୀତି ।

ଏହାରି ଭିତରେ ପୁରୀରେ ହେବାକୁ ଯାଉଛି କଡ଼ା ଟକ୍କର । ଗୋଟିଏ ଦିନରେ ରହିଛି ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେଡି-ବିଜେପିର ରୋଡ ଶୋ । ୨୦ତାରିଖରେ ମୋଦିଙ୍କ ରୋଡ ଶୋ ସାଙ୍ଗକୁ ରହିଛି ପାଣ୍ଡିଆନଙ୍କ ରୋଡ ଶୋ । ଯାହାକୁ ନେଇ ଉଭୟ ଦଳର କର୍ମକର୍ତ୍ତାଙ୍କ ମନୋବଳ ବଢିବାରେ ଲାଗିଛି ।

ମୋଦି ପୁରୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ବଡ଼ଦାଣ୍ଡରେ ମୋଦିଙ୍କ ରୋଡ ଶୋ ରହିଛି । କିଛି ବାଟ ପଦଯାତ୍ରା ମଧ୍ୟ ଥିବା ସୂଚନା ମିଳିଛି । ସେହି ଦିନ ରହିଛି ଭିକେ ପାଣ୍ଡିଆନଙ୍କ ରୋଡ ଶୋ । ମୋଦିଙ୍କ ରୋଡ ଶୋକୁ କେ ଦେବାକୁ ଶକ୍ତି ପ୍ରଦର୍ଶନ କରିବ ବିଜୁ ଜନତା ଦଳ । ମରିଚିକୋଟ ଛକରୁ ପାଣ୍ଡିଆନଙ୍କ ରୋଡ ଶୋ ଆରମ୍ଭ ହୋଇ ମେଡିକାଲ ଛକ, ଗୁଣ୍ଡିଚାମନ୍ଦିର, ନବକଳେବର ରୋଡ ଦେଇ ଅଠରନଳାରେ ଶେଷ ହେବ । ଏହାପରେ ସତ୍ୟବାଦୀରେ ମଧ୍ୟ ରୋଡ ଶୋ କରିବେ ବୋଲି ଜଣାପଡିଛି ।

ପୁରୀରେ ମୋଦି ଏବଂ ପାଣ୍ଡିଆନ ନିଜ ନିଜ ଲୋକସଭା, ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭୀକ୍ଷା କରିବେ । କୁହାଯାଉଛି ଏହି ରୋଡ ଶୋ ରୋଚକ ମୋଡ ନେବ । କିଛି ଦିନ ହେଲା ଚାଲିଥିବା ଆରୋପ ପ୍ରାତ୍ୟାରୋପ ରାଜନୀତି ପୁରୀରେ ଆହୁରୀ ତିକ୍ଷ୍ଣ ହେବ । ଉଭୟଙ୍କ ରୋଡ ଶୋରୁ ଏହା ସ୍ପଷ୍ଟ ଯେ ପୁରୀ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ବିଜେଡି ଚାହିଁବ ନାହିଁ ଯେ ତା ପକଡରେ ଥିବା ପୁରୀ ସଂସଦୀୟ କ୍ଷେତ୍ର ବିଜେପି ହାତକୁ ଯାଉ ।

ପୁରୀ ଲୋକସଭାରୁ ବାରମ୍ବାର ପିନାକୀ ଜିତି ଆସୁଛନ୍ତି । ପିନାକୀଙ୍କ ସ୍ଥାନରେ ଏଥର ବିଜେଡି ଆଇପିଏସ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ ପଟ୍ଟନାୟକ । ଯିଏ ଗତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟରେ ଲଢି ପରାଜିତ ହୋଇଥିଲେ । ଯଦି ଏଥର ଅରୂପ ହାରି ଯାଉଛନ୍ତି ତାହେଲେ ତାଙ୍କ ରାଜନୀତି କ୍ୟାରିୟରରେ ପ୍ରଶ୍ନ ଚିହ୍ନ ଲାଗିବ ଏଥିରେ କିଛି ଦ୍ୱିମତ ନାହିଁ । ସେପଟେ ସମ୍ବିତ ପାତ୍ରଙ୍କୁ ପୁଣି ଥରେ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ଗତଥର ପରାଜିତ ହେବାପରେ ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛି । ଏବେ ମୋଦିଙ୍କ ରୋଡ ଶୋ ସୁହାଇବ ବୋଲି ଜଣାପଡୁଛି ।

ଗତ ନିର୍ବାଚନରେ ପୁରୀ ଜିଲ୍ଲାର ୪ ବିଧାନସଭା କ୍ଷେତ୍ରରୁ ବିଜେପି ପୁରୀ ଓ ବ୍ରହ୍ମଗିରିକୁ ହାତେଇଥିବା ବେଳେ ବିଜେଡି ପିପିଲି ଓ ସତ୍ୟବାଦୀକୁ କବଜା କରିଥିଲା । କିନ୍ତୁ ଏଥର ବିଜେପି ୪ ବିଧାନସଭା ସହ ଲୋକସଭାକୁ ଜିତିବା ପାଇଁ ଅଣ୍ଟା ବଢିଛି । ଉଭୟ ଦଳର ରୋଡ ଶୋରୁ ଜଣାପଡିବ କାହାର କେତେ ପ୍ରଭାବ ଭୋଟରଙ୍କ ଉପରେ ପଡୁଛି ।